ଭାଙ୍ଗିଲା ଧନପୁର ଶାଖା କେନାଲ୍, ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାହିନୀପତି

କୋରାପୁଟ,ଏନ୍ଏନ୍ଏସ୍: ଜୟପୁର ସହର ଉପକଣ୍ଠ ଦେଇ ଯାଇଥିବା ଉପର କୋଲାବ୍ ଜଳ ବିଦ୍ୟୁତ୍ ପ୍ରକଳ୍ପର ଧନପୁର ଶାଖା କେନାଲ୍ ବନ୍ଧ ଏକଟାଗୁଡା ନିକଟରେ ଶୁକ୍ରବାର ରାତିରେ ଭାଙ୍ଗିଯାଇଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଥିବାବେଳେ ଦାୟିତ୍ୱରେ ଅବହେଳା କରିଥିବା ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ନିକଟରେ ରହୁଥିବା ଲୋକେ ରାତି ତମାମ୍ ଭୟ ଭିତରେ ରହିଥିଲେ ମଧ୍ୟ ଘଟଣାରେ କୌଣସି ଧନ ଜୀବନ କ୍ଷୟକ୍ଷତି ନଥିବାରୁ ସାମାନ୍ୟ ଆସ୍ୱସ୍ଥ ଲାଭ କରିଛନ୍ତି। ତେବେ ଶହଶହ ଏକର ଚାଷ ଜମିରେ ବାଲିଚର ମାଡ଼ି ଯାଇଛି। ସୂଚନା ପାଇ ଜିଲ୍ଲାପାଳ ମଧୁ ସୂଦନ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରି ଫେରିଥିବାବେଳେ ଶନିବାର ପୂର୍ବାହ୍ଣରେ ଜିଲ୍ଲାପାଳ ପୁନର୍ବାର ଘଟଣାସ୍ଥଳକୁ ଯାଇ ରକ୍ଷଣାବେକ୍ଷଣ ଠିକ୍ ଭାବେ କରା ଯାଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅସ୍ଥାୟୀ ବନ୍ଧ ନିର୍ମାଣ କରି ରବି ଚାଷ ନିମନ୍ତେ ଜମିକୁ ଜଳସେଚନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।