ସ୍ଥାନୀୟ ନିଯୁକ୍ତି ଦାବିରେ ଅଖିଳ ଭାରତୀୟ ଯୁବ ସଙ୍ଘ ପକ୍ଷରୁ ଧାରଣା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସ୍ଥାନୀୟ ନିଯୁକ୍ତି ଦାବିରେ ଆଜି ଅଖିଳ ଭାରତୀୟ ଯୁବ ସଙ୍ଘ ପକ୍ଷରୁ ଟିଆରଏଲ କ୍ରୋସାକି କାରଖାନା ନିକଟରେ ଧାରଣା ଦିଆଯାଇଥିଲା। ସଙ୍ଘ ପକ୍ଷରୁ, ଟିଆରଏଲ କର୍ତ୍ତୃପକ୍ଷଙ୍କ ଜରିଆରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, ଝାରସୁଗୁଡା ଏକ ଶିଳ୍ପ ଓ ଖଣି ସମୃଦ୍ଧ ଜିଲ୍ଲା ହୋଇଥିଲେ ହେଁ ସ୍ଥାନୀୟ ନିଯୁକ୍ତି ଅଭାବରୁ ଏଠାକାର ଯୁବକ ଯୁବତୀ ବେରୋଜଗାର ହୋଇ ରହୁଛନ୍ତି। ଏହି ଯୁବକ ଯୁବତୀଙ୍କ ସମସ୍ୟା ସମାଧାନ ପାଇଁ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରପରିଷଦ କାର୍ଯ୍ୟାଳୟରେ ଗୋଟିଏ ଲେଖାଁଏ ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜ ପଞ୍ଜିକରଣ କାଉଣ୍ଟର ଖୋଲି ଜିଲ୍ଲାର ସମସ୍ତ ବେକାର ଯୁବକ ଯୁବତୀଙ୍କ ରେଜିଷ୍ଟ୍ରେସନ କରାଯାଉ। ଏହାପରେ ସେମାନଙ୍କୁ ଜିଲ୍ଲାର ବିଭିନ୍ନ ଖଣି ଓ କଳ କାରଖାନାରେ ଚାକିରି ପ୍ରଦାନ କରାଯାଉ ବୋଲି ଅଖିଳ ଭାରତୀୟ ଯୁବ ସଙ୍ଘପକ୍ଷରୁ ଦାବି କରାଯାଇଛି। ଏହି ଦାବି ପୂରଣ ହେବା ଯାଏଁ ସପ୍ତାହକୁ ଥରେ ଜିଲ୍ଲାର ବିଭିନ୍ନ କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ୧୦ଟାରୁ ୧୨ଟା ଯାଏଁ ଅଖିଳ ଭାରତୀୟ ଯୁବ ସଙ୍ଘ ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଅବସରରେ ରମେଶ ତ୍ରୀପାଠି, ସଙ୍ଘର ସଭାପତି ରମାକାନ୍ତ ସା, ମାନସ ପ୍ରଧାନ, ମିନି ଦାସ, ଗୋବର୍ଦ୍ଧନ ବାନି, ନିରାକାର ଭୋଇ, ସୁଦର୍ଶନ ରାଉତ, ତ୍ରିଲୋଚନ ଭୋଇ ପ୍ରମୁଖଙ୍କ ଯୁବ ସଙ୍ଘର ସଦସ୍ୟମାନେ ଉପସ୍ଥିତ ଥିଲେ।