ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ

ଦେବଗଡ଼,ଏନ୍ଏନ୍ଏସ୍: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କାରେ ଜନକଲ୍ୟାଣକାରୀ ଯୋଜନା କରୁଥିଲେ ମଧ୍ୟ ଏହି ଯୋଜନା ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କାଦୋପଡା ପଞ୍ଚାୟତ ମହୁପାଳ ଗ୍ରାମରେ ଅପହଞ୍ଚ ରହିଛି। ଫଳରେ ଗ୍ରାମବାସୀ ପାନୀୟଜଳ, ବିଜୁଳି, ଘରଡିହ, ଚାଷ ଜମି ଓ ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ମହୁପାଳ ଗ୍ରାମକୁ ପହଞ୍ଚିବା ପାଇଁ ତିନୋଟି ପାହାଡର ପାଦଚଲା ରାସ୍ତା ଅତିକ୍ରମ କରିବାସହ ଦୁଇଟି ନାଳ ପାର କରିବାକୁ ପଡିଥାଏ । ସରକାରୀ ଚାଉଳ ପାଇଁ ୧୦ କି.ମି ପାହାଡି ରାସ୍ତା ଅତିକ୍ରମ କରିବାକୁ ପଡିଥାଏ। ମୌଳିକ ସୁବିଧା ପାଇଁ ପ୍ରଶାସନ ନିକଟକୁ ବାରମ୍ବାର ଦୌଡିଥିଲେ ବି କୌଣସି ସୁଫଳ ନମିଳିବାରୁ ଆଜି ଉକ୍ତ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସିଥିଲେ। ଗ୍ରାମର କୈଳାସ ଚନ୍ଦ୍ର ଭୋଇ, ସଞ୍ଜୟ ଷଣ୍ଢିଆ ଓ ଯଦୁମଣି ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମର ବହୁ ପୁରୁଷ ଓ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସାମ୍ବିଧାନିକ ସୁବିଧା ଦାବିରେ ହାତରେ ପ୍ଲାକାର୍ଡ ଧରି ଧାରଣାରେ ବସିଥିଲେ। ଡେପୁଟି କଲେକ୍ଟର ଯଶୋବନ୍ତ ଦେହୁରୀ ଧାରଣାରତ ଗ୍ରାମବାସୀଙ୍କୁ ବୁଝାସୁଝା କରିବାସହ ଆଗାମୀ ଏକ ସପ୍ତାହ ମଧ୍ୟରେ ଗ୍ରାମବାସୀଙ୍କ ସହ ଜିଲ୍ଲା ପ୍ରଶାସନ ଏକ ବୈଠକ କରି ରାଜସ୍ୱ ଆଇନ ଆନୁଯାଇ ସେମାନଙ୍କ ଦାବି ପୂରଣ ପାଇଁ ଉଦ୍ୟମ କରାଯିବାର ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ଧାରଣାରୁ ଓହରି ଥିଲେ।