ପିଏମ୍ ୱାଇ-ଫାଇକୁ କେନ୍ଦ୍ରର ମଞ୍ଜୁରୀ

ନୂଆଦିଲ୍ଲୀ: ମୋଦୀ ସରକାର ଡିଜିଟାଲ ଭାରତକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୋଦୀ ସରକାର ପବ୍ଲିକ ୱାଇ-ଫାଇ ଲଞ୍ଚ କରିବାକୁ ନେଇ ଘୋଷଣା କରିଛନ୍ତି। ଏହାର ନାମ ‘ପିଏମ୍-ବାଣୀ’ ରଖାଯାଇଛି। ଏହି ବ୍ୟବସ୍ଥା ପୁରା ଦେଶ ପାଇଁ ପ୍ରସ୍ତୁତ କରାଯିବ ଯେଉଁଥିରେ ୧୩୦ କୋଟି ଲୋକ ୱାଇ-ଫାଇ ମାଧ୍ୟମରେ ଇଣ୍ଟରନେଟ ସୁବିଧା ପାଇପାରିବେ। କ୍ୟାବିନେଟ ବୈଠକରେ ନିଆଯାଇଥିବା ଏହି ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ରବିଶଙ୍କର ପ୍ରସାଦ ଓ ସନ୍ତୋଷ ଗଙ୍ଗବାର ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ, ଦେଶରେ ୧ କୋଟି ନୂଆ ଡାଟା ସେଣ୍ଟର ଖୋଲିବାର ଏକ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଛି ଯଦ୍ୱାରା ଲକ୍ଷାଦ୍ୱୀପରେ ଆଣ୍ଡାମାନ ଭଳି ବ୍ରଡ ବ୍ୟାଣ୍ଡ କନେକ୍ଟିଭିଟିର ଯୋଜନା ଓ ଅରୁଣାଚଳ ପ୍ରଦେଶର ଯେଉଁ ଅଞ୍ଚଳରେ ଟେଲିଫୋନ୍ ସୁବିଧା ନାହିଁ ସେଠାରେ ୪ଜି ସୁବିଧା ପ୍ରଦାନ କରାଯାଇପାରିବ।