କଳାକାରମାନଙ୍କୁ ନେଇ ଧନୁଯାତ୍ରା କରାଯାଉ : କୋସଳ ସେନା

ବରଗଡ଼,ଏନ୍ଏନ୍ଏସ୍: କୋଭିଡ ନିୟମ ସହ କଳାକାରମାନଙ୍କୁ ନେଇ ଧନୁଯାତ୍ରା ଆୟୋଜନ ସହ ଡିଜିଟାଲ ମାଧ୍ୟମରେ ପ୍ରସାରଣ କରାଯାଉ ବୋଲି କୋସଳ ସେନା ତରଫରୁ ଦାବି କରାଯାଇଛି। ଏନେଇ ମଙ୍ଗଳବାର କୋସଳ ସେନା ତରଫରୁ ବରଗଡ଼ ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ, ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରୀ ବୈଠକରେ କରୋନା କଟକଣା ଯୋଗୁଁ ଧନୁଯାତ୍ରାକୁ ବାତିଲ କରାଯିବାକୁ ନିଷ୍ପତି ନିଆଯାଇଥିଲା । ଯାହାକୁ ନେଇ କଳାକାର ତଥା ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏନେଇ କୋସଲ ସେନା ତରଫରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ବେଳେ କରୋନା ମହାମାରୀ ସମୟରେ ରଥଯାତ୍ରା ଠୁଁ ଆରମ୍ଭ କରି କୋଣାର୍କ ମହୋତ୍ସବ ଏପରିକି ଉପନିର୍ବାଚନ ହୋଇପାରୁ ଥିବାବେଳେ ଧନୁଯାତ୍ରା କାହିଁକି ବନ୍ଦ କରାଯାଉଛି ବୋଲି କୁହାଯାଇଛି । ମୀନା ବଜାର, ପ୍ରଦର୍ଶନୀ ଷ୍ଟଲ ବନ୍ଦ କରାଯାଇ କୋଭିଡ ନିୟମ ଅନୁସାରେ ଖୋଲା ରଙ୍ଗମଞ୍ଚରେ କଳାକାରମାନଙ୍କୁ ଧନୁଯାତ୍ରା ଆୟୋଜନ କରାଯାଉ ଏବଂ ତାର ସିଧା ପ୍ରସାରଣ ଡିଜିଟାଲ ମାଧ୍ୟମରେ କରାଯାଉ ବୋଲି କୋସଳ ସେନା ଦାବି କରିଛି ।