ଡାକ ବିଭାଗର “ମେଘଦୂତ” ସମ୍ମାନରେ ସମ୍ମାନିତ ହେଲେ ଓଡ଼ିଆ ପୁଅ

ନୂଆଦିଲ୍ଲୀ, ଏଜେନ୍ସି: ଆଜି ଭାରତୀୟ ଡାକ ବିଭାଗ ତରଫରୁ “ମେଘଦୂତ” ସମ୍ମାନରେ ସମ୍ମାନିତ ହୋଇଛନ୍ତି ଜଣେ ଓଡ଼ିଆ ପୁଅ। ବିଭାଗୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚ୍ୟୁଆଲ ସଭାରେ ତାଙ୍କୁ ସମ୍ମାନିତ କରାଯାଇଛି। ପ୍ରକାଶ ଯେ, ସାରା ଭାରତବର୍ଷରେ ମୋଟ ଆଠଟି ବର୍ଗରେ ପ୍ରତିବର୍ଷ ବିଭିନ୍ନ କର୍ମଚାରୀଙ୍କୁ ଡାକ ବିଭାଗର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥାଏ ।

ଏହି କ୍ରମରେ ଉକ୍ତ ସଭାରେ ଓଡିଶାରୁ କୀର୍ତ୍ତନ ନାୟକ ଗ୍ରାମୀଣ ଡାକ ସେବକ ମର୍ଦକୋଟ ଶାଖା ବ୍ରହ୍ମପୁର ମଣ୍ଡଳଙ୍କୁ “ଗ୍ରାମୀଣ ଡାକ ସେବକ’ ବର୍ଗରେ ଜାତୀୟସ୍ତରର “ମେଘଦୂତ” ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ପାଇବାରେ ଶ୍ରୀ କୀର୍ତ୍ତନ ନାୟକ ଜିଡିଏସ ବର୍ଗରେ ଓଡିଶାରୁ ପ୍ରଥମ ବ୍ୟକ୍ତି। ଓଡିଶା ପରିମଣ୍ଡଳର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ କର୍ଣ୍ଣେଲ ଜଳେଶ୍ୱର କହଁର ତାଙ୍କୁ ସମ୍ମାନିତ କରିଥିଲେ। ଶ୍ରୀ କୀର୍ତ୍ତନ ନାୟକ କୋଭିଡ-୧୯ ସମୟରେ ଡାକ ସେବା ପ୍ରଦାନ କରି ୪୧୧୨ ଜଣଙ୍କୁ ଦ୍ୱାରଦେଶରେ ଟଙ୍କା ଉଠାଣର ସୁବିଧା ତଥା ଅନ୍ୟ ସେବା ପ୍ରଦାନ କରି ସମସ୍ତଙ୍କର ପ୍ରଶଂସା ଭାଜନ ହୋଇଥିଲେ । ଏହି ସଭାରେ ଡାକ ବିଭାଗର ନିର୍ଦ୍ଦେଶକ ଆଦିତ୍ୟ କୁମାର ନାୟକଙ୍କ ବ୍ୟତୀତ କୀର୍ତ୍ତନ ନାୟକଙ୍କ ଧର୍ମପତ୍ନୀ ଏବଂ ପରିବାର ବର୍ଗ ଉପସ୍ଥିତ ଥିଲେ।