ଦାଦା ବଟି ନ ଦେବାରୁ କର୍ମଚାରୀଙ୍କୁ ଆକ୍ରମଣ ଓ ଲୁଟ୍

ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ଝରାବେରଣୀ ଗ୍ରାମରେ ଗେଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ଚାଲିଥିବା ଗ୍ୟାସ ପାଇପ ଲାଇନ ପ୍ରକଳ୍ପରେ କାର୍ଯ୍ୟରତ ଇଞ୍ଜିନିୟର ଓ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ସହ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଦାଦା ବଟି ନଦେବାରୁ ସେମାନଙ୍କୁ ଆକ୍ରମଣ କରି ୩୫ହଜାର ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଉକ୍ତଗ୍ରାମର କେତେକ ଦୁର୍ବୁତ୍ତ ଲୁଟି ନେଇଥିବା କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଉକ୍ତ ପ୍ରକଳ୍ପ ସ୍ଥଳରେ ଫସି ରହିଥିବା ଦୁଇ ବୋଲେରୋ ଓ ଅନ୍ୟାନ୍ୟ କେତେକ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ଦେବଗଡ଼ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ପୁଲିସ ଫୋର୍ସ ସହ ଉକ୍ତ ସ୍ଥାନରେ ପହଞ୍ଚି ଘଟଣାର ତନାଘନା କରୁଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଝରାବେରଣୀ ଗ୍ରାମଦେଇ ଯାଇଥିବା ଗ୍ୟାସ ପାଇପ୍ ଲାଇନ ପ୍ରକଳ୍ପର କାର୍ଯ୍ୟ ଚାଲୁଥିବା ବେଳେ ସେଠାରେ କାର୍ଯ୍ୟରତ ଇଞ୍ଜିନିୟର ରୋମ୍ୟଜିତ ଦାସ (୩୦) ଙ୍କୁ ଗତକାଲି ଉକ୍ତ ଗ୍ରାମର କାଳିଆ ପ୍ରଧାନ, ଅନନ୍ତ ପାତ୍ର ଓ କିଶୋରୀ ସାହୁ ଦାଦା ବଟି ମାଗିଥିଲେ । ମାତ୍ର ଇଂ ଶ୍ରୀ ଦାସ ବଟି ଦେବାରେ ନିଜ ଅସମର୍ଥତା ପ୍ରକାଶ କରିବାରୁ ଉପରୋକ୍ତ ଅଭିଯୁକ୍ତମାନେ ତାଙ୍କୁ କାମ କରାଇ ନଦେବା ର ଚେତାବନୀ ଦେବାସହ ଜୀବନରୁ ମାରିଦେବା ଧମକ ଦେଇ ଚାଲି ଯାଇଥିଲେ। ଆଜି ଅପରାହ୍ନରେ ଉପରୋକ୍ତ ୩ ଅଭିଯୁକ୍ତ ଓ ଅନ୍ୟ ୪ଜଣ ହେଲମେଟ ପିନ୍ଧି ପ୍ରକଳ୍ପସ୍ଥଳୀକୁ ଆସି ଆତର୍କିତ ଭାବେ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ପଥର, କ୍ରିକେଟ ଷ୍ଟମ୍ପ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଇଂ ଶ୍ରୀ ଦାସଙ୍କ ଠାରୁ ନଗଦ ୩୫ହଜାର ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଲୁଟି ନେଇଥିବାବେଳେ ଦୁଇଟି ବୋଲେରୋ ଗାଡିକୁ ଲୁଟ ଉଦ୍ଦ୍ୟେଶରେ ଗାଡିର ଚାବି ଲୁଟି ନେଇ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଇଂ ରୋମ୍ୟଜିତ ଦାସ, ଜଗନ୍ନାଥ ଯାଦବ, ଦିପୁ କୁଶୱକ୍ଷ, ଦିଲ୍ଲୀପ ଯାଦବ, ଜିତେନ୍ ସାହୁ ଓ ଧନିରାମ ନାମକ ପ୍ରମୁଖ ଆହତ ହୋଇଥିବା ବେଳେ ଏନେଇ କମ୍ପାନୀ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗପରେ ଦୁର୍ବୃତ୍ତଙ୍କୁ ଧରିବାକୁ ପୁଲିସ ପକ୍ଷରୁ ଜୋରଦାର ଅଭିଯାନ ଆରମ୍ଭ କରାଯାଇଥିବା ଜଣାପଡିଛି।