ବୃଦ୍ଧଙ୍କୁ ମାଡ଼ ଘଟଣା : ତଦନ୍ତ ଆରମ୍ଭ କଲେ ଉପଜିଲ୍ଲାପାଳ

ଝାରସୁଗୁଡା,ଏନ୍ଏନ୍ଏସ୍: କୋଭିଡ୍ ତଦାରଖ ଦାୟିତ୍ୱରେ ଥିବା ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଯୋଗିତା ତିର୍କୀ ଗତ ବୁଧବାର ଜଣେ ବୃଦ୍ଧ ତରଭୂଜ ବିକାଳୀ ଏବଂ ତାଙ୍କର ନାବାଳକ ପୁଅଙ୍କୁ ବାଡିରେ ମାଡ଼ ମାରିବା ଘଟଣାର ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ପାଇଁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏଥିପାଇଁ ମାଡ ଖାଇଥିବା ବୃଦ୍ଧ ବ୍ୟବସାୟୀ ଦେବେନ ଝା ଓ ତାଙ୍କର ନାବାଳକ ପୁଅଙ୍କୁ ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଗାଡିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେହିପରି ମାଜିଷ୍ଟ୍ରେଟ୍ ତଥା ଅତିରିକ୍ତ ତହସିଲଦାର ଯୋବିତା ତିର୍କୀଙ୍କୁ ମଧ୍ୟ କାର୍ଯ୍ୟାଳୟକୁ ଡକାଯାଇଥିଲା। ଉପଜିଲ୍ଲାପାଳ ଶିବ ଟପ୍ପୋ ପଚରାଉଚୁରା କରି ଉଭୟଙ୍କ ବୟାନ ରେକର୍ଡ କରିଥିଲେ। ଜିଲ୍ଲା ପ୍ରଶାସନର ପ୍ରାଥମିକ ତଦନ୍ତ ମଧ୍ୟର ଭାଇରାଲ୍ ଭିଡିଓକୁ ଦେଖିଲେ ମାଜିଷ୍ଟ୍ରେଟ୍ ବ୍ୟବସାୟୀଙ୍କୁ ବାଡିରେ ପିଟୁଥିବା ସ୍ପଷ୍ଟ ହୋଇଛି। ମାଜିଷ୍ଟ୍ରେଟ୍ ଜଣଙ୍କ ବ୍ୟବସାୟୀଙ୍କୁ କାହିଁକି ଏବଂ କେଉଁ ପରିସ୍ଥିତିରେ ମାଡ଼ ମାରିଥିଲେ ଏହାର ତଦନ୍ତ ଚାଲିଛି। ତଦନ୍ତ ପରେ ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ପ୍ରଦାନ କରାଯିବ। ଏହାପରେ ଜିଲ୍ଲାପାଳ ପଦକ୍ଷେପ ନେବେ ବୋଲି ଉପଜିଲାପାଳ ଟପ୍ପୋ କହିଛନ୍ତି।