କୋଭିଡ଼ ନମୂନା ନେଉଥିବା ବେଳେ ବୋଲେରୋ ଦୁର୍ଘଟଣାଗ୍ରସ୍ତ

ଖଜୁରିପଡ଼ା, ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଦୁତିମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ପିଣ୍ଡାବାଡ଼ି ନିକଟରେ ଆଜି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱରକୁ କୋଭିଡ଼୍ ନମୂନା ନେଇ ଯାଉଥିବା ବଲୋରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଖଜୁରିପଡା ଗାଡ଼ିଆପଡ଼ା ଅଞ୍ଚଳର ଚାଳକ ରାଜ କିଶୋର ବେହେରା ଗୁରୁତର ହୋଇଛନ୍ତି। ଖବର ପାଇ ଖଜୁରିପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରି ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହାପରେ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର କାରଣ ଜଣାପଡ଼ିନଥିଲେ ମଧ୍ୟ ଗାଡ଼ିର ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଏଭଳି ହୋଇଥିବା ଅନୁମାନ କରାଯାଉଛି। ଦୁର୍ଘଟଣାରେ କୋଭିଡ ନମୂନା ସୁରକ୍ଷିତ ଥିବା ବେଳେ ତୁରନ୍ତ ଅନ୍ୟଏକ ଗାଡ଼ିରେ ଭୁବନେଶ୍ୱର ପଠାଯାଇଥିବା ବେଳେ ଘଟଣାସ୍ଥଳରେ ଖଜୁରିପଡ଼ା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।