ଏସସିବିରେ କାର୍ଯ୍ୟକ୍ଷମ ହେଲା ବ୍ଲାକ୍ ଫଙ୍ଗସ ୱାର୍ଡ, ୩ ସନ୍ଦିଗ୍ଧ ଚିକିତ୍ସିତ

କଟକ, ଏନ୍ଏନ୍ଏସ୍ : କଟକ ବଡ଼ ମେଡିକାଲରେ ବ୍ଲାକ ଫଙ୍ଗସ ୱାର୍ଡ ଆଜି ଠାରୁ କାର୍ଯ୍ୟକ୍ଷମ ହୋଇଛି। ଇଏନଟି ବିଭାଗରେ ଉକ୍ତ ୱାର୍ଡକୁ କାର୍ଯ୍ୟକ୍ଷମ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଆକ୍ରାନ୍ତଙ୍କ ଲାଗି ୩୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ୨ ଜଣ ମହିଳା ଓ ଜଣେ ପୁରୁଷ ସନ୍ଦିଗ୍ଧ ଉକ୍ତ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଛି। ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ରିପୋର୍ଟ ହସ୍ତଗତ ହେବା ପରେ ୩ଜଣ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ। ଏହି ସନ୍ଦିଗ୍ଧ ମାନଙ୍କ ମଧ୍ୟରୁ ଜଣଙ୍କୁ ଆଇସିୟୁରେ ରଖାଯାଇଥିବା ବେଳେ ଆଉ ୨ଜଣଙ୍କୁ ସାଧାରଣ ଶଯ୍ୟାରେ ରଖାଯାଇଛି। ଏସସିବି ମେଡିକାଲରେ ଥିବା ସନ୍ଦିଗ୍ଧ ମାନଙ୍କ ମଧ୍ୟରୁ ଜଣେ ମହିଳା ଆକ୍ରାନ୍ତ ହୋମ ଆଇସୋଲୋସନରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ବାମ ଆଖି ଫୁଲିବା ସହିତ ଆଖି ପାଶ୍ୱର୍ କଳା ପଡିଥିଲା। ବ୍ଲାକ ଫଙ୍ଗସ ସଂକ୍ରମଣ ସନ୍ଦେହ ହେବା ପରେ ସେ ଏସସିବିକୁ ଆସିଥିଲେ। ଏହାଛଡା ଏସସିବି କୋଭିଡ ୱାର୍ଡରେ ଚିକିତ୍ସା ହେଉଥିବା ଅନ୍ୟ ୨ଜଣ ସଂକ୍ରମିତ ନିକଟରେ ବ୍ଲାକ ଫଙ୍ଗସ ଲକ୍ଷଣ ଦେଖିବାକୁ ମିଳିଛି।