ଧାରଣାରେ ବସିଥିବା ସାଂସଦଙ୍କ ପାଇଁ ଚା’ ନେଇ ପହଞ୍ଚିଲେ ଉପସଭାପତି: ଟ୍ୱିଟ୍ କରି ପ୍ରଶଂସା କଲେ ମୋଦୀ

ନୂଆଦିଲ୍ଲୀ: ଲୋକତନ୍ତ୍ରର ମନ୍ଦିର ସଂସଦରେ ଗତ ୩, ୪ ଦିନ ହେବ କୃଷି ବିଲକୁ ନେଇ ସରକାର ଓ ବିପକ୍ଷ ମଧ୍ୟରେ ବୈଚାରିକ ଲଢ଼େଇ ଜାରି ରହିଛି। ବିପକ୍ଷ ଦ୍ୱାରା ରାଜ୍ୟସଭାରେ ହୋଇଥିବା ହଙ୍ଗାମା ଯୋଗୁ ୮ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଉକ୍ତ ୮ଜଣ ସାଂସଦ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସଂସଦ ଭବନ ପରିସରରେ ଧାରଣାରେ ବସିଛନ୍ତି। ଏସବୁ ମଧ୍ୟରେ ରାଜ୍ୟସଭା ଉପସଭାପତି ଆଜି ସକାଳେ ଧାରଣାରେ ବସିଥିବା ସାଂସଦଙ୍କ ପାଇଁ ଚା’ ଓ ଜଳଖିଆ ନେଇ ପହଞ୍ଚିଥିଲେ। କିନ୍ତୁ ବୈଚାରିକସ୍ତରରେ ଜାରି ରହିଥିବା ଲଢ଼େଇର ମର୍ଯ୍ୟାଦା ଓ ନୀତି ଯୋଗୁ ସେମାନେ ଚା’ ପିଇନଥିଲେ।

ଉପସଭାପତି ହରିବଂଶଙ୍କ ଏହି ଗାନ୍ଧିବାଦୀ ନୀତିକୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି। ମୋଦୀ ଟ୍ୱିଟ କରି କହିଛନ୍ତି ଯେ, ‘ଦୁଇ ଦିନ ପୂର୍ବରୁ ନିଜ ସହ ହୋଇଥିବା ଅପମାନକୁ ଭୁଲି ହରିବଂଶ ଜୀ ଯାହା କରିଛନ୍ତି ତାହା ତାଙ୍କ ଉଦାରତା ଓ ମହାନତାକୁ ଦର୍ଶାଉଛି। ଲୋକତନ୍ତ୍ର ପାଇଁ ଏହାଠୁ ଭଲ ବାର୍ତ୍ତା ଆଉ କ’ଣ ହୋଇପାରେ। ମୁଁ ଏଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି।’