ସାଂସଦଙ୍କ ବ୍ୟବହାରରେ ଦୁଃଖୀ ଥିବା ହରିବଂଶ ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ: ରାଜ୍ୟସଭାରେ କୃଷକ ବିଲ୍ ପାରିତ ହେବା ସମୟରେ ସାଂସଦଙ୍କ ବିଶୃଙ୍ଖଳ ଆଚରଣରେ ଦୁଃଖୀ ଥିବା ରାଜ୍ୟସଭା ଉପସଭାପତି ହରିବଂଶ ନାରାୟଣ ସିଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି। କେବଳ ଏତିକି ନୁହେଁ ଦିନକ ପାଇଁ ଉପବାସ ରଖିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।

ଉପସଭାପତି ହରିବଂଶ ଭାବବିହ୍ୱଳ ହୋଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଗାନ୍ଧୀ, ଜେପୀ ଓ କର୍ପୁରୀ ଠାକୁରଙ୍କ ନାମ ନେଇଛନ୍ତି। ସାଂଦସଙ୍କ ବ୍ୟବହାର ତାଙ୍କୁ ଏତେ ମର୍ମାହତ କରିଥିଲା କି ସେ ରାତିସାରା ଶୋଇନଥିବା କଥା ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, କୃଷି ବିଧେୟକକୁ ବିରୋଧ କରିବା ଆଳରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବା ୮ଜଣ ସାଂସଦଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି। ଆଉ ଏହାକୁ ବିରୋଧ କରି ସେମାନେ ସଂସଦ ଭବନ ପରିସରରେ ଧାରଣାରେ ବସିଛନ୍ତି।