୧୯ ବର୍ଷରୁ କମ୍‌ ଆନ୍ତଃ ଜିଲ୍ଲା କ୍ରିକେଟରେ ଭାଗ ନେବାକୁ କଟକରେ ଦେବଗଡ଼ ଟିମ୍‌

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଆଜିଠାରୁ କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଦେବଗଡ଼ ଜିଲ୍ଲାର କ୍ରିକେଟ ଦଳ କଟକ ଗସ୍ତ କରିଛି। ସେଠାରେ ଆଜି ଦେବଗଡ଼ ଦଳ ରାୟଗଡା ସହିତ ପ୍ରଥମ ମ୍ୟାଚ୍‌ ଖେଳିବ।

ସେହିପରି ୫ ତାରିଖରେ ବଲାଙ୍ଗିର ଜିଲ୍ଲା ଟିମ୍‌, ୬ ତାରିଖରେ କେନ୍ଦୁଝର ଟିମ୍‌, ୮ ତାରିଖରେ ରାଉରକେଲାର ଆର୍‌ଏସ୍‌ପି ସହିତ ଏବଂ ୯ ତାରିଖରେ କୋରାପୁଟ ଜିଲ୍ଲା ଟିମ୍‌ ସହିତ ଖେଳିବାର କାର୍ଯ୍ୟକ୍ରମ ଥିବା ନେଇ ଜିଲ୍ଲା କ୍ରିକେଟ ସଙ୍ଘ ସମ୍ପାଦକ ସୁଜିତ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଦେବଗଡ଼ ଜିଲ୍ଲା ୧୯ ବର୍ଷରୁ କମ୍‌ କ୍ରିକେଟ ଦଳ କଟକ ଅଭିମୁଖେ ଯିବା ପୂର୍ବରୁ ସେମାନଙ୍କୁ ସ୍ଥାନୀୟ ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।