ଅଚଳ ହୋଇପଡ଼ିଛି ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର; ଶିକ୍ଷକ ମହଲରେ ଅସନ୍ତୋଷ

ଭୁବନେଶ୍ବର,ଏନ୍ଏନ୍ଏସ୍: ଆସନ୍ତାକାଲି ଗୁରୁ ଦିବସ । ଦୀର୍ଘ ୫ ବର୍ଷ ହେବ ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର ଦିଆଯାଇନାହିଁ । ଚଳିତ ବର୍ଷ ମଧ୍ୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯିବାର ସମ୍ଭାବନା ନାହିଁ । ଯାହା ଫଳରେ ଆଶାୟୀ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ୨୦୧୭ ମସିହା ପରଠାରୁ ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର ପ୍ରହସନ ପାଲଟିଛି । ଚଳିତ ବର୍ଷ ଗୁରୁ ଦିବସରେ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ମନୋନୟାନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରିଲା ନାହିଁ । କ୍ରମାଗତ ୫ ବର୍ଷ ହେଲା ପୁରସ୍କାର ନ ମିଳିବା ନେଇ ଶିକ୍ଷକ ତଥା ଶିକ୍ଷାବିତ୍ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ରାଜ୍ୟରେ ଶିକ୍ଷକ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମର୍ଯ୍ୟାଦାଜନକ ‘ରାଜ୍ୟ ଶିକ୍ଷକ ପୁରସ୍କାର’ ପ୍ରଦାନ କରାଯାଇଥାଏ । ପ୍ରାଥମିକ ସ୍ତରରୁ ଜଣେ ଏବଂ ମାଧ୍ୟମିକ ସ୍ତରରୁ ଜଣେ ଶ୍ରେଷ୍ଠ ଶିକ୍ଷକଙ୍କୁ ପ୍ରତି ଜିଲ୍ଲାରୁ ମନୋନିତ କରାଯାଇଥାଏ । ହେଲେ ୨୦୧୭ ମସିହା ପରଠାରୁ ଏହି ପୁରସ୍କାର ସମ୍ପୂର୍ଣ୍ଣ ଭାବରେ ଅକ୍ଷମ ହୋଇପଡିଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ, “କରୋନା କାଳରେ ରାଜ୍ୟର ସମସ୍ତ ଶିକ୍ଷକ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି । ଯାହା ଫଳରେ ଦଶମ ଓ ଯୁକ୍ତ ଦୁଇର ସଠିକ ଭାବରେ ମୂଲ୍ୟାଙ୍କନ କରାଯାଇଛି ଏବଂ ପରୀକ୍ଷା ଫଳ ପ୍ରକାଶ ପାଇଛି ।”

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଏହି କାର୍ଯ୍ୟରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହାୟକ ହୋଇଛନ୍ତି । ଦୀର୍ଘ ୫ ବର୍ଷ ହେଲାଣି ରାଜ୍ୟରେ ଶିକ୍ଷକମାନଙ୍କୁ ଗୁରୁ ଦିବସରେ ସମ୍ମାନିତ କରାଯାଇନାହିଁ । କୋରୋନା ୨ ବର୍ଷ ଧରି ଲାଗି ରହିଥିବା ଯୋଗୁଁ ଏହା ସମ୍ଭବ ହୋଇପାରିନାହିଁ । ଗତ ଜୁଲାଇ ମାସରୁ ଆବେଦନ କରିବା ପାଇଁ ସୂଚନା ଦିଆଯାଇଥିଲା । ଇତି ମଧ୍ୟରେ ଅନେକ ଶିକ୍ଷକମାନେ ଆବେଦନ କରିଛନ୍ତି । କିନ୍ତୁ ଏହାର ସିଲେକ୍ସନ ପ୍ରକ୍ରିୟା ସାରିବାକୁ ସମୟ ଲାଗୁଛି । ତେବେ ଚଳିତ ବର୍ଷ ଗୁରୁ ଦିବସରେ ଶିକ୍ଷକଙ୍କୁ ସମ୍ମାନିତ କରିବା ସମ୍ଭବପର ହୋଇପାରୁନାହିଁ ।” ଖୁବଶୀଘ୍ର ଶିକ୍ଷକଙ୍କୁ ସମ୍ମାନ ଦେବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।