ଦେବଗଡ଼,ଏନ୍ଏନ୍ଏସ୍: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଦେବଗଡ଼ ସେବା ସଂଘ ପକ୍ଷରୁ ଜିଲ୍ଲାବାସୀଙ୍କୁ ସେବା ଯୋଗାଇବା ଉଦ୍ଦେଶ୍ୟରେ ଏକ ସ୍ୱର୍ଗ ରଥ ଯାନ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ସମ୍ପାଦକ ଉମାଶଙ୍କର ସାହୁଙ୍କ ପରିଚାଳନା ଓ ସଂଘର ସଭାପତି ଧର୍ମେନ୍ଦ୍ର କୁମାର ଦେବତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦେବଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁମ୍ନ କୁମାର ମିଶ୍ର, ସମ୍ମାନିତ ଅତିଥିଭାବେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡା. ମନୋରଞ୍ଜନ ସାମଲ ପ୍ରମୁଖ ମଞ୍ଚାସିନ ରହି ସଂଘର ସ୍ୱେଛାସେବୀଙ୍କୁ ଉତ୍ସାହିତ କରିବା ସହ ଦେବଗଡ଼ ଭଳି ଏକ ଛୋଟିଆ ଜିଲ୍ଲାରେ ସେବା ସଂଘ ଗ୍ରହଣ କରିଥିବା ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ। ଏହାସହ ନୂଆଦିଲ୍ଲୀ ଓଡ଼ିଆ ସମାଜ ପକ୍ଷରୁ ଦେବଗଡ଼ ସେବା ସଂଘକୁ ସହାୟତାର ହାତ ବଢ଼େଇଥିବାରୁ ଓଡ଼ିଆ ସମାଜକୁ ମଧ୍ୟ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ପୂର୍ବରୁ ଅତିଥିବୃନ୍ଦ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସବୁଜ ପତାକା ଦେଖାଇ ସ୍ୱର୍ଗ ରଥର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେବା ସଂଘ ପକ୍ଷରୁ ସଂଗଠନ ଗଠନରେ ସହାୟତା କରିଥିବା ବହୁ ବ୍ୟକ୍ତିଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା ।