ନବରଙ୍ଗପୁର,ଏନ୍ଏନ୍ଏସ୍: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ସରକିଟ ହାଉସରେ କରିଥିବା ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଶ୍ରୀ ସାମଲ କହିଛନ୍ତି ଯେ, ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ଆଦି କ୍ଷେତ୍ରରେ ଆଶାନୁରୂପକ ବିକାଶ ହୋଇପାରିନାହିଁ । ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନାହାଁନ୍ତି । ବିଦ୍ୟାଳୟରେ ଶିକ୍ଷକ ଅଭାବ, ଚାଷ ଜମିକୁ ଜଳସେଚନର ସୁବିଧା ନାହଁ । ୨୦୧୬ ମସିହାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନବରଙ୍ଗପୁର-ମାଲକାନାଗିରି ରେଳ ପଥ ପାଇଁ ଏଗ୍ରିମେଣ୍ଟ ହୋଇଛି କିନ୍ତୁ ଏପର୍ଯ୍ୟନ୍ତ ଜମି ଅଧିଗ୍ରହଣ ହୋଇପାରି ନାହିଁ । ଜିଲ୍ଲାରେ ବିଇଡ କଲେଜ ବିଲ୍ଡିଂ ନିର୍ମାଣ ହୋଇଥିଲେ ମଧ୍ୟ କଲେଜ ଖୋଲିପାରି ନାହିଁ । ନବରଙ୍ଗପୁର ମହାବିଦ୍ୟାଳୟକୁ ୫୨ ବର୍ଷ ହୋଇଥିଲେ ମଧ୍ୟ ସରକାରୀ ମାନ୍ୟତା ମିଳିପାରି ନାହିଁ କି ପିଜି ପାଠ୍ୟକ୍ରମ ଖୋଲିପାରି ନାହିଁ । ଜିଲ୍ଲାରେ ଗୋଟେ ଇଞ୍ଜିନିୟରିଂ କଲେଜ ଖୋଲି ନାହିଁ । କେନ୍ଦ୍ର ସରକାର ନବରଙ୍ଗପୁର ଜିଲ୍ଲାରେ ଇଥାନାଇଲ ଫ୍ୟାକ୍ଟ୍ରି ପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ ରାଜ୍ୟ ସରକାର ଜମି ଯୋଗାଇଲେ ନାହିଁ । କୃଷିଭିତ୍ତିକ ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ ସାତ ସପନ ହୋଇଛି। ଜିଲ୍ଲାରେ ବିଦ୍ୟୁତ ଉତ୍ପାଦନ ହେଉଥିଲେ ମଧ୍ୟ ଦିନର ଅର୍ଦ୍ଧାଧିକ ସମୟ ବିଦ୍ୟୁତ କାଟ ବଡ଼ ସମସ୍ୟା ସୃଷ୍ଟି କରୁଛି । ମନରେଗାରେ ବ୍ୟାପକ ଦୁର୍ନୀତି ହେଉଥିବା ସଭାପତି ଶ୍ରୀ ସାମଲ ଅଭିଯୋଗ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ବଲଭଦ୍ର ମାଝୀ, ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରୀପାଠୀ, ରାଜ୍ୟ ସମ୍ପାଦିକା ପୂର୍ଣ୍ଣିମା ନାୟକ, ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, ବିଜେପି ନେତା ଗୋବିନ୍ଦ ଜୈନ, ଦେବଦାସ ମହାକୁଡ଼, କାହ୍ନୁ ଦାଶଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ । ପରେ ଡାବୁଗାଁ, ଉମରକୋଟ ଓ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିବା ଜଣାପଡ଼ିଛି ।