ପୌର ନିର୍ବାଚନ ପରିପ୍ରେକ୍ଷୀ ଅସାମାଜିକ ତତ୍ୱଙ୍କୁ ଲଗାମ ଲଗାଇବାକୁ ଅଣ୍ଟା ଭିଡ଼ିଲା ଦେବଗଡ଼ ପୁଲିସ

ଦେବଗଡ଼,ଏନ୍‌ଏନ୍ଏସ୍: ଆସନ୍ତା ୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଦେବଗଡ଼ ପୌର ପରିଷଦ ନିର୍ବାଚନ ପାଇଁ ଜିଲ୍ଲାରେ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ପ୍ରଚାର ଆରମ୍ଭ କରିଥିବା ବେଳେ ବିଭନ୍ନ ଦଳୀୟ କର୍ମୀ ଓ ଅସାମାଜିକ ବ୍ୟକ୍ତିତ୍ୱଙ୍କ କାର୍ଯ୍ୟ କଳାପ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିଛି ଦେବଗଡ଼ ଥାନା ପୁଲିସ। ଆଜି ପୂର୍ବାହ୍ଣରେ ଆଦର୍ଶ ଥାନା ପରିସରରୁ ଅତିରିକ୍ତ ଏସପି ଆଙ୍କୁର ମଲ୍ଲିକ, ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଓ ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଥାନାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ପୁଲିସ ଏକ ବାଇକ ଶୋଭାଯାତ୍ରାରେ ନଗର ପରିକ୍ରମା କରିବା ସହ ସହରର ପ୍ରତ୍ୟେକ ସାହି ଗଳିରେ ନିଜ ଉପସ୍ଥିତି ଜାହିର କରିଛନ୍ତି।

ଏଥିସହ ନିର୍ବାଚନ ସମୟରେ ଅଞ୍ଚଳରେ ଯେକୌଣସି ଅପରାଧିକ କାର୍ଯ୍ୟକଳାପକୁ ଦମନ ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ୨୪ ଘଣ୍ଟିଆ ପାଟ୍ରୋଲିଂ ଜାରି ରହିଛି। ରାତ୍ରିକାଳୀନ ନାକାକୁ ଜୋରଦାର କରାଯାଇଛି। ସେହିପରି ମାର୍ଚ୍ଚ ପହିଲାରୁ ଆଜି ପର୍ଯ୍ୟନ୍ତ ୨ ଶହରୁ ଊର୍ଦ୍ଧ୍ବ ଅସାମାଜିକ ତତ୍ୱଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ନୋଟିସ ଜାରି କରାଯାଇଥିବା ବେଳେ ୧୧୫ ବେଆଇନ ମଦ ବେପାରୀଙ୍କୁ ଗିରଫ କରାଯାଇ ମାମଲା ରୁଜୁ କରାଯାଇଥିବା ଏବଂ ସେମାନଙ୍କ ଠାରୁ ୪ ଶହ ଲିଟର ଦେଶୀ ମଦ ଓ ୧୫୦ ଲିଟର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ କରାଯଇଛି। ଆଗାମୀ ପୌର ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ଶହ ସମାପନ ପାଇଁ ଜିଲ୍ଲା ପୁଲିସ ଜନସାଧାରଣଙ୍କ ସହଯୋଗ କାମନା କରିଛି।