ନବୀନଙ୍କୁ ଭେଟିଲେ କପିଲ ଶର୍ମା

ଭୁବନେଶ୍ବର,ଏନ୍ଏନ୍ଏସ୍: ନବୀନଙ୍କୁ ଭେଟିଲେ ଜଣାଶୁଣା କମେଡିଆନ୍ କପିଲ ଶର୍ମା। ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କପିଲ ଶର୍ମା। କେବଳ କପିଲ ନୁହଁନ୍ତି ତାଙ୍କ ସାଥିରେ ଓଡ଼ିଆ ଝିଅ ତଥା ବଲିଉଡ ଅଭିନେତ୍ରୀ ନନ୍ଦିତା ଦାସ ମଧ୍ୟ ନବୀନଙ୍କୁ ଭେଟିଛନ୍ତି। ନବୀନ ନିବାସରେ ଉଭୟଙ୍କ ସହ ବେଶ କିଛି ସମୟ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ପରେ ଭାରତୀୟ ହକି ଟିମର ଏକ ଜର୍ସି କପିଲ ଓ ନନ୍ଦିତାଙ୍କୁ ଉପହାର ଆକାରରେ ଦେଇଥିଲେ ନବୀନ। ଏହାସହ କପିଲଙ୍କୁ ଏକ କୋଣାର୍କ ଚକ୍ରର ପ୍ରତିମୂର୍ତ୍ତି ଦେଇଥିଲେ ନବୀନ।

ମିଳିଥିବା ସୂଚନା ମୁତାବକ ଗତ କିଛି ଦିନ ହେବ ଏକ ଫିଲ୍ମର ସୁଟିଂ ପାଇଁ ରାଜଧାନୀ ଭୁବନେଶ୍ୱରରେ ଅଛନ୍ତି କପିଲ ଶର୍ମା। ଓଡିଆ ଝିଅ ତଥା ବଲିଉଡ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ କପିଲ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରୁଥିବାର ସୂଚନା ମିଳିଛି। ଫିଲ୍ମରେ ଜଣେ ଡେଲିଭରୀ ବୟର ଭୂମିକାରେ ନଜର ଆସିବେ କପିଲ।

ପାଖାପାଖି ୧୦ ଦିନରୁ ଅଧିକ ହେବ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଏହି ଫିଲ୍ମର ସୁଟିଂ ଚାଲୁଥିଲା। ଆଉ ସୁଟିଂ ସମୟରେ କପିଲଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ବି ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଆଜି ସୁଟିଂର କିଛି ସମୟ ବିରତ ହେବା ପରେ ନବୀନଙ୍କୁ ଭେଟିଛନ୍ତି କପିଲ୍।