ରାତ୍ରିକାଳୀନ ଗାଡ଼ି ଚାଳକଙ୍କୁ ମୁଁହ ଧୋଇ ଚା’ ପିଆଉଛନ୍ତି ଦେବଗଡ଼ ପୁଲିସ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ମୃତ୍ୟୁଶୂନ୍ୟ ସଡ଼କ ଦୁର୍ଘଟଣା ସପ୍ତାହ ପାଳନ ଅବସରରେ ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଅଭିନବ ପ୍ରୟାସ ଗ୍ରହଣ କରାଯାଇଛି । ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ଗୁଡ଼ିକ ଉପରେ ଯାନବାହାନ ଯାଞ୍ଚ ବେଳେ ମଦ୍ୟପ ଗାଡ଼ି ଚାଳକଙ୍କୁ ଗିରଫ କରାଯାଉ ଥିବାବେଳେ ରାଜପଥ ଉପରେ ବେନିୟମ ପାର୍କିଂ କରୁଥିବା ଗାଡ଼ିକୁ ଜୋରିମାନା ସହ ଆଗକୁ ପୁନରାବୃତ୍ତି ନକରିବାର ତାଗିଦ କରୁଥିବା ଦେଖିବାକୁ ମିଳିଛି । ତେବେ ବିଳମ୍ବିତ ରାତିରେ ମଧ୍ୟ ଏସଡିପିଓ ସୌମ୍ୟ ରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଦେବଗଡ଼ ଆଦର୍ଶ ଥାନାଧିକାରୀ ସରୋଜ କୁମାର ସେଠୀ ଥାନା କର୍ମଚାରୀଙ୍କ ସହ ୪୯ ଓ ୫୩ ନମ୍ବର ଜାତୀୟ ରାଜପଥରେ ଦ୍ରୁତଗାମୀ ଯାନବାହାନ ଗୁଡ଼ିକର ଗତି ନିୟନ୍ତ୍ରଣ କରିବା ସହ ପାଣି ଦେଇ ଗାଡ଼ି ଚାଳକଙ୍କ ମୁଁହ ଧୋଇବା ଓ ଗରମ ଚା’ ଦେଇ ସଚେତନ କରି ଆଗକୁ ବଢ଼ିବାକୁ ଦେଉଥିବା ଦେଖିବାକୁ ମିଳିଛି । ଗତ ୩ ଦିନ ମଧ୍ୟରେ ଦେବଗଡ଼ ଆଦର୍ଶ ଥାନା ପୁଲିସ ପକ୍ଷରୁ ୪ଜଣ ମଦ୍ୟପ ଗାଡ଼ି ଚାଳକଙ୍କ ଗାଡ଼ି ଜବତ କରାଯିବା ସହ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ ମୋଟ ୧ ଲକ୍ଷ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି ।