ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ନେଇ ଦେବଗଡ଼ ଜିଲ୍ଲାରେ ଅସନ୍ତୁଷ୍ଟ ଭୋଟର

ଦେବଗଡ଼,ଏନ୍ଏନ୍ଏସ୍: ପଞ୍ଚାୟତ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ ଗାଁ ଗାଁ’ରେ ପଞ୍ଚାୟତ ନିର୍ବାଚନକୁ ନେଇ ଆଶାୟୀ ପ୍ରାର୍ଥୀ ଓ ଭୋଟରଙ୍କ ମଧ୍ୟରେ ସମୀକ୍ଷା ଆରମ୍ଭ ହୋଇଯାଇଛି। ଦେବଗଡ଼ ଜିଲ୍ଲାର ୩ଟି ବ୍ଲକ ଓ ୭୦ଟି ପଞ୍ଚାୟତ ରହିଥିବା ବେଳେ ଜିଲ୍ଲା ପରିଷଦ ପାଇଁ ୭ଟି ସେଗମେଣ୍ଟ ରହିଛି। ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇଉଠିଥିବା ବେଳେ ୭୦ ପଞ୍ଚାୟତର ବିଭିନ୍ନ ପଦବୀ ପାଇଁ ଆସନ ସଂରକ୍ଷଣ ବିଜ୍ଞପ୍ତି ଇତି ମଧ୍ୟରେ ପ୍ରକାଶ ପାଇଛି।

ଗତ ୮ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ପ୍ରକାଶିତ ବିଜ୍ଞପ୍ତିରେ ଅସନ୍ତୁଷ୍ଟ ବହୁ ଅଞ୍ଚଳବାସୀ ଆପତ୍ତି ଅଭିଯୋଗ କରିଥିବା ବେଳେ ଆସନ୍ତା ୨୬ ତାରିଖ ଦିନ ସରପଞ୍ଚ, ସମିତି ସଦସ୍ୟ ଓ ୱାର୍ଡ ମେମ୍ବର ପଦବୀର ଆସନ ପାଇଁ ଚୁଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ଜିଲ୍ଲା ପରିଷଦ ପାଇଁ ୧୯ ତାରିଖ ଦିନ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ ଜିଲ୍ଲାର ବିଭିନ୍ନ ବ୍ଲକରେ ଭୋଟର ଠାରୁ ଆଶାୟୀ ପ୍ରାର୍ଥୀ ଯାଏଁ ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ କରିଥିବା ସଂରକ୍ଷଣ ଆସନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସାଶନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ଆପତ୍ତି କରି ସରପଞ୍ଚ ପଦବୀ ପାଇଁ ସଂରକ୍ଷିତ ଆସନର ପରିବର୍ତ୍ତନ ନିମନ୍ତେ ୨୦ ପଞ୍ଚାୟତ ବିଶିଷ୍ଟ ତିଲେଇବଣୀ ବ୍ଲକର ସରପଞ୍ଚ ପଦବୀ ସଂରକ୍ଷଣକୁ ଆପତି କରି ସୁଗୁଡା, ଦୁଧିଆନାଳି, ତାଳକୁଣ୍ଡି ଓ ପାଳକୁଦର ୨୬ ପଞ୍ଚାୟତ ବିଶିଷ୍ଟ ରିଆମାଳ ବ୍ଲକର ପକ୍ଷରୁ ଆପତ୍ତି ଅଭିଯୋଗ କରାଯାଇଛି।

ସେହିପରି ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ପାଇଁ ତିଲେଇବଣୀରୁ ୪, ରିଆମାଳ ଓ ବାରକୋଟ ରୁ ଗୋଟିଏ ଲେଖାଏଁ ଆପତ୍ତି ଅଭିଯୋଗ ଆସିଥିବା ବେଳେ ସମିତି ସଦସ୍ୟ ପଦବୀ ସଂରକ୍ଷଣ ପାଇଁ ତିଲେଇବଣୀରୁ ୩, ରିଆମାଳରୁ ୧ ଓ ବାରକୋଟର ୨ଟି ପଞ୍ଚାୟତରୁ ଆପତ୍ତି ଅଭିଯୋଗ କରାଯାଇଛି। ସେହିପରି ୱାର୍ଡ ମେମ୍ବର ପଦବୀ ସଂରକ୍ଷଣ ପାଇଁ ତିଲେଇବଣୀରୁ ୧, ରିଆମାଳର ୨ଟି ପଞ୍ଚାୟତରୁ ଆପତ୍ତି ଅଭିଯୋଗ ଆସିଥିବା ବେଳେ ଜିଲ୍ଲାପରିଷଦ ଆସନ ପାଇଁ ବାରକୋଟ ବ୍ଲକର ସମସ୍ତ ୩ଟି ଆସନ ପାଇଁ ପ୍ରକାଶିତ ସଂରକ୍ଷଣ ବିଜ୍ଞପ୍ତିକୁ ଆପତ୍ତି କରାଯାଇଥିବା ଜଣାପଡିଛି।

ଯଦି ପ୍ରକାଶିତ ବିଜ୍ଞପ୍ତିରେ କୌଣସି ପରିବର୍ତ୍ତନ ନହୁଏ ତେବେ ଅନେକ ସ୍ଥାନରେ ଜନ ଆନ୍ଦୋଳନ ସହ ଭୋଟ ବର୍ଜନ ଭଳି ଘଟଣା ଦେଖିବାକୁ ମିଳିବ। ଜିଲ୍ଲାର ପଞ୍ଚାୟତବାସୀଙ୍କ ମତାମତକୁ ଗ୍ରହଣ କରି କାର୍ଯ୍ୟକାରୀ କରିବାକୁ ବହୁ ଭୋଟର ଓ ଆଶାୟୀ ପ୍ରାର୍ଥୀ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଲବ କିସାନ ବିଭିନ୍ନ ପଞ୍ଚାୟତବାସୀ ସଂରକ୍ଷଣ ତାଲିକାକୁ ଆପତ୍ତି କରି ତାଙ୍କ ନିକଟରେ ଅଭିଯୋଗ କରିଥିବା ପ୍ରକାଶ କରିବା ସହ ଜିଲ୍ଲାପାଳଙ୍କ ନିଷ୍ପତି ପରେ ଆସନ ସଂରକ୍ଷଣ ସଂଶୋଧିତ ତାଲିକା ଆସନ୍ତା ୨୬ ତାରିଖ ଦିନ ପ୍ରକାଶ କରାଯିବ ବୋଲି ସୂଚନା ଦେଇଛନ୍ତି।