ଦେବଗଡ଼ ବିଜେଡିକୁ ଝଟକା: କରୋମ ଅଭାବରୁ ଆଗତ ହେଲାନି ଅନାସ୍ଥା ପ୍ରସ୍ତାବ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ହାତେଇବାକୁ ଦେବଗଡ଼ ଜିଲ୍ଲାର ୨ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ବିଜେଡିର ଛକାପଞ୍ଝା ମଧ୍ୟରେ ଆଜି ଜିଲ୍ଲା ବିଜେଡିକୁ ବଡ଼ ଝଟକା ଲାଗିଛି। ବିଜେଡି ପକ୍ଷରୁ ରିଆମାଳ ବ୍ଲକର ନିର୍ଦଳୀୟ ଅଧ୍ୟକ୍ଷା ରିତାଞ୍ଜଳୀ ହାତୀଙ୍କ ବିରୁଦ୍ଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ କୋରମ ଅଭାବରୁ ଆଗତ ହୋଇ ପାରିନାହିଁ। ଗତ କିଛିଦିନ ଧରି ରିଆମାଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ହାତୀ ଓ ବ୍ଲକ ଉପାଧ୍ୟକ୍ଷ ବୈକୁଣ୍ଠ ପାଇକରାୟ ଓ ବିଡ଼ିଓ ଦିବ୍ୟଶଙ୍କର ଜୟପୁରିଆଙ୍କ ମଧ୍ୟରେ ପଞ୍ଚାୟତ ସମିତିର ସୁଧ ଟଙ୍କାର ବିନିଯୋଗ ନେଇ ବିବାଦ ଦେଖା ଦେଇଥିଲା। ଏହାର ସୁଯୋଗରେ ପ୍ରଶାସନିକ ଅଧିକାରୀଙ୍କ ଚାପ ଓ କେତେକ ନିର୍ବାଚିତ ପ୍ରତିନିଧିଙ୍କ ଇଙ୍ଗିତରେ ସମିତି ବୈଠକରେ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପୂର୍ବାହ୍ନରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସ୍ୱୀକୃତିପ୍ରାପ୍ତ ଅଧିକାରୀ ଭାବେ ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକ, ମାଜିଷ୍ଟ୍ରେଟ ଦାୟିତ୍ୱରେ ରିଆମାଳ ତହସିଲଦାର ବିମଳା ବିରୁଳି, ଉପଖଣ୍ଡ ପଞ୍ଚାୟତ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଓ ରିଆମାଳ ବିଡ଼ିଓ ଦିବ୍ୟଶଙ୍କର ଜୟପୁରିଆଙ୍କ ଉପସ୍ଥିତିରେ ବ୍ଲକ ସମ୍ମିଳନୀ କକ୍ଷରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ରିଆମାଳ ପଞ୍ଚାୟତ ସମିତିର ମୋଟ ୫୪ଜଣ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ଅଧ୍ୟକ୍ଷା ଶ୍ରିମତୀ ହାତୀଙ୍କୁ ଛାଡ଼ି ଅନ୍ୟ କୌଣସି ଜଣେ ମଧ୍ୟ ସଦସ୍ୟ ଉପସ୍ଥିତ ନ ହେବାରୁ ଦୀର୍ଘ ସମୟ ପ୍ରତିକ୍ଷା ପରେ ନିର୍ବାଚନ ପରିଚାଳନା ଅଧିକାରୀ ସମସ୍ତ ବିବରଣୀ ଉଲ୍ଲେଖ କରି ରିପୋର୍ଟ ଜିଲ୍ଲାପାଳଙ୍କ ନିକଟକୁ ପଠାଇଥିଲେ। କୌଣସି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଦେବଗଡ଼ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ରିଆମାଳ ଥାନାଧିକାରୀ ଗୋପବନ୍ଧୁ ବେହେରା ଓ କର୍ମଚାରୀ ସମେତ ୩ ପ୍ଲାଟୁନ ପୁଲିସ ବଳ ମୁତୟନ କରାଯାଇଥିଲା। ସେହିପରି ନିର୍ଦ୍ଧାରିତ ସମୟ ଅବଧି ପୂରଣ ହେବା ପରେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବହୁ ବିଜେପି କର୍ମୀ ବ୍ଲକ ପରିସରରେ ଉପସ୍ଥିତ ହୋଇ ଉପାଧକ୍ଷ ଓ ବିଡିଓଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ନିର୍ଦଳୀୟ ଅଧ୍ୟକ୍ଷା ଶ୍ରୀମତୀ ହାତୀଙ୍କୁ ସମର୍ଥନ କରିଥିଲେ। ଏହି ଅବସରରେ ଖୁବଶୀଘ୍ର ବିଧିବଦ୍ଧ ଭାବେ ସେ ବିଜେପିରେ ସାମିଲ ହେବେ ବୋଲି ପ୍ରତିକ୍ରିୟା ରଖିଥିଲେ।