କମେଣ୍ଟ ମରାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ: ବାପ ପୁଅ ସମେତ ତିନି ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ସୁନାପଶି ଗ୍ରାମରେ ଭୋଜିବେଳେ କମେଣ୍ଟ ମରାକୁ କେନ୍ଦ୍ରକରି ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ୩ ଜଣ ଗୁରୁତର ହୋଇଛନ୍ତି। ସୁନାପଶି ଗ୍ରାମ ଯୁବକଙ୍କ ସଙ୍ଘବଦ୍ଧ ଆକ୍ରମଣରେ ନଳବନ୍ଧ ଗ୍ରାମର ବାପ ପୁଅ ସମେତ ତିନି ଜଣ ଗୁରୁତର ହୋଇ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ନବବର୍ଷ ଉପଲକ୍ଷେ ଆଜି ନଳବନ୍ଧ ଗ୍ରାମର କେତେକ ଯୁବକ ନିକଟସ୍ଥ ସୁନାପଶି ନାଳ କଡ଼ରେ ଭୋଜି କରିବାକୁ ଯାଇଥିବା ବେଳେ ସୁନାପଶି ଗ୍ରାମର ମଧ୍ୟ କେତେକ ଯୁବକ ଯୁବତୀ ସେଠାରେ ଭୋଜିର ଆୟୋଜନ କରିଥିଲେ।

ତେବେ ଅପରାହ୍ଣ ପ୍ରାୟ ୪ ଟା ସମୟରେ ଭୋଜି ସାରି ନଳବନ୍ଦ ଗ୍ରାମର ଯୁବକମାନେ ନିଜ ଗ୍ରାମକୁ ବାହାରି ବେଳେ ସୁନାପଶି ଗ୍ରାମର କେତେକ ଯୁବକ ତାଙ୍କୁ କମେଣ୍ଟ ମାରିବା ଅଭିଯୋଗ କରି ନଳବନ୍ଧ ଗ୍ରାମର କେତେକ ଯୁବକଙ୍କୁ ସେଠାରେ ଅଟକ ରଖି ଯୁକ୍ତିତର୍କ କରିଥିଲେ। ଅଟକ ଥିବା କେତେକ ଯୁବକ ଫୋନ ଯୋଗେ ସେମାନଙ୍କ ଅନ୍ୟ ସାଥୀମାନଙ୍କୁ ସୂଚନା ଦେବାପରେ ନଳବନ୍ଧ ଗ୍ରାମର ଅନ୍ୟ କେତେକ ଯୁବକ ସେଠାରେ ପହଞ୍ଚିବା ପରେ ଗଣ୍ଡଗୋଳ ଆରମ୍ଭ ହୋଇ ଉଗ୍ର ରୂପ ନେଇଥିଲା। ସୁନାପଶି ଗ୍ରାମ ଯୁବକଙ୍କ ଆକ୍ରମଣରେ ନଳବନ୍ଧ ଗ୍ରାମର ଚିତ୍ତରଞ୍ଜନ ଧଳ (୨୭)ଓ ରାଜକିଶୋର ବେହେରା (୨୪) ଗୁରୁତର ହୋଇପଡିଥିବା ସୂଚନା ପାଇ ଚିତ୍ତରଞ୍ଜନ ଙ୍କ ବାପା ମଧୁସୁଦନ ଧଳ (୫୪) ସେଠାରେ ପହଞ୍ଚିବାରୁ ତାଙ୍କୁ ମଧ୍ୟ ସୁନାପଶି ଗ୍ରାମର କେତେକ ଯୁବକ ଠେଙ୍ଗା ଓ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ଉଭୟ ବାପ ପୁଅ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଗୁରୁତରଙ୍କ ପରିବାର ପକ୍ଷରୁ ଏନେଇ ଦେବଗଡ଼ ଥାନାରେ ଅଭିଯୋଗ କରାଯାଇଛି।