ଭୁବନେଶ୍ୱର, ଏନ୍ଏନ୍ଏସ୍: କରୋନା ଲାଗି ୨୦୨୦ରେ ପାସପୋର୍ଟ ଆବେଦନ ସଂଖ୍ୟାରେ ହ୍ରାସ ଘଟିଛି। ଗତବର୍ଷ ତୁଳନରେ ଚଳିତବର୍ଷ ପ୍ରାୟ ୫୦% କମ୍ ଆବେଦନ କରିଥିବା ଜଣାପଡ଼ିଛି। ୨୦୧୯ରେ ମୋଟ ୧ଲକ୍ଷ ୨୦ହଜାର ପାସପୋର୍ଟ ପ୍ରଦାନ କରାଯାଇଥିବା ବେଳେ ୨୦୨୦ ଜାନୁଆରୀରୁ ଡିସେମ୍ବର ୩୦ତାରିଖ ସୁଦ୍ଧା ୫୪ହଜାର ପାସପୋର୍ଟ ପ୍ରଦାନ କରାଯାଇଛି। ଯେଉଁଥିରେ ଜୁଲାଇରେ ସର୍ବନିମ୍ନ ୫୯୩ଜଣଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ତେବେ ଚଳିତବର୍ଷ ପ୍ରଦାନ ହୋଇଥିବା ପାସପୋର୍ଟ ସଂଖ୍ୟା ଅନୁଯାୟୀ, ଜାନୁଆରୀରେ ସର୍ବାଧିକ ୧୦ହଜାର ପାସପୋର୍ଟ ପ୍ରଦାନ କରାଯାଇଥିବା ବେଳେ ଫେବୃଆରେ ୯,୨୦୦, ମାର୍ଚ୍ଚରେ ୩ହଜାର, ଏପ୍ରିଲରେ ୨୮ଶହ, ମେ’ରେ ୫ହଜାର, ଜୁନରେ ୧୨ଶହ, ଜୁଲାଇରେ ୫୯୩, ଅଗଷ୍ଟରେ ୨୨୭୧ଟି, ସେପ୍ଟେମ୍ବରରେ ୩୫୭୩, ଅକ୍ଟୋବରରେ ୪୪୮୮, ନଭେମ୍ବରରେ ୫୦୬୦ ଏବଂ ଡିସେମ୍ବର ୩୦ତାରିଖ ସୁଦ୍ଧା ୫୫୦୦ ଜଣଙ୍କୁ ପାସପୋର୍ଟ ପ୍ରଦାନ କରାଯାଇଛି। ବିଗତବର୍ଷ ଅପେକ୍ଷା ପାସପୋର୍ଟ ଆବେଦନ କ୍ଷେତ୍ରରେ ସର୍ବାଧିକ ସରଳୀକରଣ ବ୍ୟବସ୍ଥା ଯୋଗୁଁ ଗତ କିଛି ବର୍ଷ ହେବ ଆବେଦନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଖୁବକମ୍ ସମୟ ମଧ୍ୟରେ ପାସପୋର୍ଟ ଲୋକଙ୍କ ପାଖରେ ପହଞ୍ଚିପାରୁଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାସପୋର୍ଟ ଅଧିକାରୀ ସୁଧ୍ୟାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।
ସର୍ବଭାରତୀୟ ସ୍ତରରେ ମୋଟ୍ ୩୭ଟି ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ରହିଛି। ସେଥିମଧ୍ୟରୁ ୨୦୧୯ ଲାଗି ଭୁବନେଶ୍ୱର ଆଞ୍ଚଳିକ ପାସପୋର୍ଟ ଶ୍ରେଷ୍ଟ କାର୍ଯ୍ୟାଳୟର ମାନ୍ୟତା ହାସଲ କରି ପୁରସ୍କୃତ ହୋଇଛି। ପିଓପିଏସ୍କେ ବ୍ୟବସ୍ଥା ଲାଗୁ କରିବା, ସେଠାରେ ଭିତ୍ତିଭୂମୀର ବିକାଶ, ସେଠାକାର କର୍ମଚାରୀଙ୍କୁ ଆଡଭାନ୍ସ ପ୍ରଶିକ୍ଷଣ, ଗୁଣାତ୍ମକ ସେବା ପ୍ରଦାନକୁ ନଜର ଦେଇ ଭୁବନେଶ୍ୱର ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ଶ୍ରେଷ୍ଟ ୩ କେନ୍ଦ୍ର ମଧ୍ୟରେ ସ୍ଥାନ ପାଇଛି। ଅନ୍ୟ ଦୁଇଟି ହେଉଛି ଶ୍ରୀନଗର ଏବଂ ଗାଜିଆବାଦ୍। ଆଞ୍ଚଳିକ ପାସପୋର୍ଟ ଅଧିକାରୀଙ୍କ ଦକ୍ଷତାକୁ ନଜର ଦେଇ ଏହି ଶ୍ରେଷ୍ଟ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ଅର୍ଥରାଶି ଏବଂ ଫଳକ ପ୍ରଦାନ କରାଯିବ।