ଦେବଗଡ଼ କଲେଜରେ ସାମଗ୍ରିକ ବିକାଶ ନିମନ୍ତେ ସହାୟତା ଲୋଡିଲେ ଅଧ୍ୟକ୍ଷା

ଦେବଗଡ଼, ଏନ୍ଏନ୍ଏସ୍: ପଶ୍ଚିମ ଓଡିଶାର ସର୍ବପୁରାତନ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ଦେବଗଡ଼ କଲେଜ ଅନ୍ୟତମ। ଏହି କଲେଜର ଶିକ୍ଷାରମାନ ବୃଦ୍ଧି ସହ ସାମଗ୍ରିକ ବିକାଶରେ ଜିଲ୍ଲାର ସମସ୍ତ ବର୍ଗର ଜନସାଧାରଣ, ଅଭିଭାବକ ଓ କର୍ମଚାରୀଙ୍କ ସହଯୋଗ ଲୋଡିଛନ୍ତି କଲେଜ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀ। ପ୍ରକାଶ ଯେ, ଗତ କିଛିଦିନ ପୂର୍ବେ କଲେଜ ଆଲୁମିନି କମିଟି ସଭାପତି ଉମାଶଙ୍କର ସାହୁ ଅଧ୍ୟକ୍ଷାଙ୍କ ବିରୋଧରେ ବିଭିନ୍ନ ଅନିୟମିତତା ଥିବା ନେଇ ଗଣମାଧ୍ୟମରେ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟକୁ ଅଭିଯୋଗପତ୍ର ପଠାଇଥିଲେ। ଏକ ନିର୍ଦ୍ଦିଷ୍ଟ ଖବର କାଗଜରେ ଏହା ପ୍ରକାଶିତ ହେବାପରେ ଅଧ୍ୟକ୍ଷା ଶ୍ରୀମତୀ ଶତପଥୀ ଅଭିଯୋଗକୁ ଉଦେଶ୍ୟ ପ୍ରୋଣଦିତ ବୋଲି ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଶ୍ରୀ ସାହୁଙ୍କ ଅଭିଯୋଗ ସମ୍ପର୍କରେ ଶ୍ରୀମତୀ ଶତପଥୀଙ୍କ ମତାମତ ନେବାରୁ କଲେଜର ରାଜନୀତି ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଜିତେଦ୍ରିୟ ପ୍ରଧାନଙ୍କ ବିରୋଧରେ ଜନୈକ ଅଧ୍ୟାପିକା ଥାନାରେ ଅଭିଯୋଗ କରିଥିଲେ।

ଏହି ମାମଲାରେ ଶ୍ରୀ ପ୍ରଧାନ ଉଚ୍ଚ ନ୍ୟାୟାଳୟରୁ ଜାମିନ ଆଦେଶ ପାଇଥିଲେ ଏବଂ ଏହି ସମୟରେ ସେ କରିଥିବା ଛୁଟି ଆବେଦନକୁ ମଞ୍ଜୁରୀ ପାଇଁ ଦରଖାସ୍ତ ଦେଇଥିଲେ। ଏନେଇ ମହିଳା ଅଧ୍ୟାପିକା ଜଣକ ଉଚ୍ଚ ନ୍ୟାୟାଳୟରେ ରିଟ ପିଟିସନ ଦାଖଲ କରି ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପ୍ରାଧ୍ୟାପକଙ୍କ ଛୁଟି ମଞ୍ଜୁର ନ କରିବା ପାଇଁ ଆଦେଶ ଆସିଥିଲା। ତେଣୁ ଶ୍ରୀ ପ୍ରଧାନଙ୍କ ଛୁଟି ମଞ୍ଜୁର ନକରିବା ଏବଂ କଲେଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅନ୍ୟ କେତେକ କର୍ମଚାରୀଙ୍କ ବିରୋଧରେ ଅଧ୍ୟକ୍ଷା ଭାବେ କଠୋର ହେବା ଯୋଗୁଁ ତାଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣୁଥିବା ସେ ପ୍ରକାଶ କରିଥିଲେ।