ଥାନାରେ ଅଭିଯୋଗ ପରେ ପ୍ରେମିକା ମଥାରେ ସିନ୍ଦୁର ଦେଲା ପ୍ରେମିକ

ଦେବଗଡ଼,ଏନ୍ଏନ୍ଏସ୍: ଦୀଘଦିନ ଧରି ଜଣେ ଯୁବତୀଙ୍କୁ ପ୍ରେମ ପରେ ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିଲେ ମଧ୍ୟ ଘରକୁ ବୋହୂ କରି ନେଉ ନଥିଲେ ଯୁବକ। ଏନେଇ ଗତକାଲି ରାତିରେ ଯୁବତୀଙ୍କ ପରିବାରଲୋକେ ଯୁବକଙ୍କୁ ଘର ଭିତରେ ତାଲା ପକାଇ ପୁଲିସକୁ ହସ୍ତାନ୍ତର କରିବାସହ ଅଭିଯୋଗ କରିବା ପରେ ମନ୍ଦିରରେ ଯୁବକ ଜଣକ ଯୁବତୀଙ୍କ ମଥାରେ ସିନ୍ଦୁର ଦେଇଛନ୍ତି। ସୂଚନା ଅନୁଯାୟୀ, ରିଆମାଳ ଥାନା ସୁକାନ୍ତି ପ୍ରଧାନ (୨୩)ଙ୍କ ସହ କଖାରୁମାଳ ଗ୍ରାମର ମକା ଦେହୁରୀଙ୍କ ପୁଅ ସିଲୁ ଦେହୁରୀ (୨୪) ଦୀର୍ଘବର୍ଷ ଧରି ପ୍ରେମ ସମ୍ପର୍କ ରଖି ଆସୁଥିବାବେଳେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରି ଆସୁଥିଲେ। ମାତ୍ର ପରିବାର ଲୋକଙ୍କ ଅନିଚ୍ଛା ଯୋଗୁଁ ପ୍ରେମିକାକୁ ବିବାହ କରୁନଥିଲେ ସିଲୁ। ଏହି କ୍ରମରେ ଗତ ବୁଧବାର ରାତିରେ ସିଲୁ ପ୍ରେମିକା ସୁକାନ୍ତିଙ୍କ ଘରକୁ ଯାଇ ତାଙ୍କ କୋଠରୀରେ ଥିବା ସମୟରେ ପରିବାର ଲୋକେ ଜାଣିପାରି ଉକ୍ତ କୋଠରୀକୁ ବାହାର ପଟୁ ବନ୍ଦ କରି ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ରିଆମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ଥିବା ସିଲୁକୁ ଉଦ୍ଧାର କରି ଥାନାକୁ ଆଣିଥିବାବେଳେ ଗୁରୁବାର ଉଭୟ ପରିବାରଙ୍କୁ ଥାନାକୁ ଡକାଇ ଘଟଣାର ତଦନ୍ତ କରିଥିଲେ । ଏହାପରେ ସୁକାନ୍ତିଙ୍କ ପରିବାର ଲୋକେ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଗତକାଲି ପ୍ରେମିକ ପରିବାର ଲୋକେ ଉଭୟଙ୍କୁ ବିବାହ ପାଇଁ ଅନୁମତି ଦେଇଥିଲେ । ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ସ୍ଥାନୀୟ ଶିବ ମନ୍ଦିରରେ ସିଲୁ ସୁକାନ୍ତିଙ୍କୁ ବିବାହ କରିଥିଲେ । ଏହି ଘଟଣା ଆଜି ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।