ଦେବଗଡ଼,ଏନ୍ଏନ୍ଏସ୍: ବିବାହର ଦୀର୍ଘ ବର୍ଷପରେ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିବା ଜଣେ ବିବାହିତ ମହିଳା ନିଜ ପୁରୁଷ ବନ୍ଧୁଙ୍କ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା ଉଦ୍ୟମ କରିବା ସହ ସ୍ୱାମୀଙ୍କ ପାଖରେ ରହୁଥିବା ନିଜ ସନ୍ତାନକୁ ହତ୍ୟା ଧମକ ଦେଇଥିବା ଦେବଗଡ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଦେବଗଡ ପୁଲିସ ହତ୍ୟା ଉଦ୍ୟମ ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଉଭୟ ଅଭିଯୁକ୍ତ ଫେରାର ହୋଇଥିବା ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ଗ୍ରାମର ଶିକ୍ଷକତା କରୁଥିବା ସୁଶାନ୍ତ କୁମାର ରଣସିଂ ଦୀର୍ଘବର୍ଷ ପୂର୍ବେ ଦେବଗଡର ବୋତିନାଳିର ତପସ୍ୱିନି ରଣସିଂଙ୍କୁ ବିବାହ କରିଥିଲେ। ତେବେ କୌଣସି କାରଣକୁ ନେଇ ପ୍ରାୟ ୪ ବର୍ଷ ପୂର୍ବରୁ ଉଭୟ ସ୍ୱାମୀ ସ୍ତ୍ରୀ ଅଲଗା ରହି ଆସୁଥିଲେ।
ଏହାର ସମାଧାନ ପାଇଁ ବୈଠକ ଡକା ଯାଇଥିଲେ ମଧ୍ୟ ତପସ୍ୱିନୀ ଏଥିରେ ସହେଯାଗ କରୁ ନ ଥିବା ସୁଶାନ୍ତ ଅଭିଯୋଗ କରିଛନ୍ତି। ତେବେ ଗତ ୨୦ ତାରିଖ ଦିନ ସୁଶାନ୍ତ ଦେବଗଡ ସ୍ଥିତ ନିଜ ସମ୍ପର୍କିୟଙ୍କ ଘରୁ ନିଜ ପୁଅ ସହ ନିଜ ଘରକୁ ବାଇକରେ ଫେରୁଥିବାବେଳେ ତପସ୍ୱିନୀ ଓ ତାଙ୍କ ପୁରୁଷବନ୍ଧୁ ଆଲୋକ କୁମାର ପ୍ରସାଦ ପିଛା କରି ସୁଶାନ୍ତଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ସୁଶାନ୍ତ ଭୟଭୀତ ହୋଇ ସେଠାରୁ ପଲାଇ ଯାଉଥିବାବେଳେ ଆଲୋକ ଓ ତପସ୍ୱିନୀ ତାଙ୍କୁ ଅଟକାଇ ମାଡ ମାରିବା ସହ ତାଙ୍କ ଗୁପ୍ତାଙ୍ଗରେ ପ୍ରହାର କରି ହତ୍ୟା ଉଦ୍ୟମ କରିଥିଲେ। ଏହାପରେ ସୁଶାନ୍ତ ଦେବଗଡ ଥାନାରେ ଅଭିଯୋଗ କରିବା ପାଇଁ ଆସୁଥିବା ବେଳେ ମଧ୍ୟ ଉଭୟ ଅଭିଯୁକ୍ତ ଅନ୍ୟ କେତେକ ଯୁବକଙ୍କ ସହାୟତାରେ ତାଙ୍କୁ ଥାନାକୁ ନ ଯିବା ପାଇଁ ବାରଣ କରିବା ସହ ଥାନାରେ ଏ ସମ୍ପର୍କରେ ରିପୋର୍ଟ ଦେଲେ ତାଙ୍କୁ ଓ ତାଙ୍କ ପୁଅକୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ସୁଶାନ୍ତ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିବାପରେ ଦେବଗଡ ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରିଛି।