ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା ଘଟଣା : ଜେଲ ଗଲା ଯୁବକ

ଦେବଗଡ଼, ଏନ୍ଏନ୍ଏସ୍: ବାରକୋଟ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ସେହି ଗ୍ରାମର ଜଣେ ଯୁବକ ପ୍ରେମ କରି ଅନ୍ୟ ଜଣେ ଯୁବତୀଙ୍କ ସହ ନିର୍ବନ୍ଧ କରୁଥିବା ସମୟରେ ପ୍ରେମିକ ଘର ଆଗରେ ପ୍ରେମିକା ଧାରଣା ଦେବା ଘଟଣାରେ ବାରକୋଟ ପୁଲିସ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଯୁବକକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ, ବାରକୋଟ ଥାନା ଅଞ୍ଚଳର ଚୌଧୁରୀ ସେଠୀ (୨୪) ନାମକ ଜଣେ ଯୁବକ ଜଣେ ୨୧ ବର୍ଷୀୟା ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ଆସିଥିଲେ। ଗତ ୨୦୧୭ ମସିହାରେ ଯୁବକ ଜଣକ ପ୍ରେମିକାଙ୍କ ଘରେ ପଶିଥିବା ବେଳେ ପରିବାର ଲୋକେ ତାକୁ ଧରି ଥାନାରେ ଜିମା ଦେଇଥିଲେ। ଆପୋଷ ବୁଝାମଣା ପରେ ଉଭୟ ନିଜ ନିଜ ଘର ରହିଥିଲେ ହେଁ ପ୍ରେମ ସମ୍ପର୍କ ରହି ଆସିଥିଲା। ତେବେ ଗତ ମଙ୍ଗଳବାର ଚୌଧୁରୀଙ୍କ ପରିବାରଲୋକେ ଚୌଧୁରୀଙ୍କ ଅନ୍ୟତ୍ର ବିବାହ ପାଇଁ ତାରିଖ ଧାର୍ଯ୍ୟ କରିଥିବାବେଳେ ଚୌଧୁରୀଠାରୁ ସୂଚନାପାଇ ପ୍ରେମିକା ଜଣକ ସୋମବାର ରାତି ପ୍ରାୟ ୯ଟା ସମୟରେ ପ୍ରେମିକ ଘରେ ପହଞ୍ଚିଥିବାବେଳେ ଚୌଧୁରୀଙ୍କ ପରିବାର ଲୋକେ ଯୁବତୀଙ୍କୁ ଗାଳି ଗୁଳଜ ଓ ଧମକ ଚମକ ଦେଇ ଘରୁ ତଡି ଦେଇଥିଲେ। ଫଳରେ ଯୁବତୀ ଜଣକ ସୋମବାର ରାତିରୁ ମଙ୍ଗଳବାର ଅପରାହ୍ଣ ଯାଏଁ ପ୍ରେମିକାଙ୍କ ଘର ଆଗରେ ଧାରଣା ଦେଇଥିଲେ। ଘଟଣାର ସମାଧାନ ପାଇଁ ଗ୍ରାମରେ ଏକ ବୈଠକ ବସିଥିଲେ ମଧ୍ୟ ସମାଧାନ ହୋଇ ନ ପାରିବାରୁ ଯୁବତୀ ଜଣକ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବାରୁ ବାରକୋଟ ଥାନା ପୁଲିସ ଅଭିଯୁକ୍ତ ଚୌଧୁରୀ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁକରି ଘଟଣାର ତଦନ୍ତ କରିବା ସହ ଚୌଧୁରୀକୁ ଗିରଫ କରିଥିଲା।