ଜେଲ ଗଲେ ବାପ ପୁଅ

ଦେବଗଡ,ଏନ୍ଏନ୍ଏସ୍ : ଦେବଗଡ ଥାନା ଅନ୍ତର୍ଗତ ଘୁଂଟୁଲିପଶି ଗ୍ରାମରେ ଗତ୨୩ ତାରିଖ ରାତ୍ରୀରେ ସାମନ୍ୟ କଥାକୁ ନେଇ ଖଟପୁଆ ମାଡ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଆଜି ଦେବଗଡ ଥାନା ପୁଲିସ ୨ ଅଭିଯୂକ୍ତ ବାପ ପୁଅଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଥିଲା । ଅଦାଳତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା, ଅନୁଯାୟୀ ଘଂଟୁଲିପଶି ଗ୍ରାମର ପାନୀୟ ଜଳଯୋଗାଣ ପମ୍ପ ଚାଳକ ମଙ୍ଗୁଳୁ ମହାନନ୍ଦ(୫୩)ନିଜ ପୁଅ ବିନୋଦ ମହାନଦ (୨୬) ଓ ଅନ୍ୟ କେତେକ ଗ୍ରାମବାସୀଙ୍କ ସହ ଗାଁ’ ଛକରେ ତାସ ଖେଳୁଥିବା ବେଳେ ସେହି ଗ୍ରାମର ପାଣୁ ଧିବର (୫୦) ନିଶାଶକ୍ତ ଅବସ୍ଥାରେ ସେଠାରେ ପହଚିଂ ସେମାନଙ୍କୁ ଗାଳି ଗୁଳଜ କରିଥିଲା। ଏହାକୁ ବିନୋଦ ପ୍ରତିବାଦ କରିବାରୁ ପାଣୁ ବିନୋଦ ଉପରେ ଆକ୍ରମଣ ପାଇଁ ଉଦ୍ୟତ ହୋଇଥିଲା ।

ଏହା ଦେଖି ପାଖରେ ଥିବା ବିନୋଦର ବାପା ମଙ୍ଗୁଳୁ ପାଖରେ ଥିବା ଏକ ଖଟ ପୁଆ ସାହାଯ୍ୟରେ ପାଣୁ ଉପରେ ଆକ୍ରମଣ କରିଥିଲା। ଫଳରେ ଖଟପୁଆଟି ପାଣୁର ବାମ ପଟ କାନ ମୂଳରେ ବାଜିବାରୁ ଘଟଣା ସ୍ଥଳରେ ପାଣୁର ମୃତ୍ୟୁ ଘଟିଥିଲା । ଏହା ଦେଖି ଗ୍ରାମବାସୀମାନେ ସ୍ଥାନୀୟ ସରପଂଚଙ୍କୁ ସୂଚନା ଦେବା ସହ ଗ୍ରାମବାସୀମାନେ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ। ସରପଂଚଙ୍କ ଠାରୁ ସୂଚନା ପାଇ ଦେବଗଡ ଥାନା ପୁଲିସ ଘଟଣା ସ୍ଥଳରେ ପହଚିଂ ମୃତ ଦେହ ଜବତ କରିବା ସହ ଉଭୟ ବାପ ପୁଅଙ୍କୁ ଅଟକ ରଖି ତଦନ୍ତ କରୁଥିଲା ।