ମଧ୍ୟସ୍ଥତା ପାଇଁ ଇଚ୍ଛା ପ୍ରକାଶ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମାରେ ବିବାଦ ଜାରି ରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ମାମଲାରେ ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଟ୍ରମ୍ପ କହିଛନ୍ତି କି, ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ବିବାଦରେ ମଧ୍ୟସ୍ଥତା କରିବା ପାଇଁ ଆମେରିକା ପ୍ରସ୍ତୁତ ରହିଛି।

ଟ୍ରମ୍ପ ଟୁଇଟ୍ କରି କହିଛନ୍ତି କି, ‘ଆମେ ଉଭୟ ଭାରତ ଓ ଚୀନକୁ ସୂଚିତ କରିଛୁ, ଯଦି ସେମାନେ ଚାହାଁନ୍ତି ତେବେ ସୀମା ବିବାଦରେ ଆମେରିକା ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ।’ ଦେଖିବାକୁ ଗଲେ, ଏହା ପ୍ରଥମଥର ନୁହେଁ ଯେତେବେଳେ ଟ୍ରମ୍ପ ମଧ୍ୟସ୍ଥତା କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଏହାପୂର୍ବରୁ ମଧ୍ୟ କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦକୁ ସମାଧାନ କରିବା ପାଇଁ ଟ୍ରମ୍ପ ଆଗେଇ ଆସିଥିଲେ।

ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରୁ ହିଁ ଲଦାଖରେ ଚୀନ ଓ ଭାରତ ସେନା ମୁହାଁମୁହିଁ ହୋଇଥିଲେ। ଗୋଟିଏ ପଟେ ଚୀନ ସୈନିକ ସଂଖ୍ୟା ବଢ଼ାଇ ମୂଳଦୁଆ ସୁଦୃଢ଼ କରୁଥିବା ଖବର ଆସୁଥିବାବେଳେ ଅନ୍ୟପଟେ ଭାରତ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିବା ସୂଚନା ମିଳୁଛି। ନିକଟରେ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ କାର୍ଯ୍ୟାଳୟରେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା କରିଥିଲେ। ଏତଦବ୍ୟତୀତ ମଙ୍ଗଳବାର ଲଦାଖ ମାମଲା ସମ୍ପର୍କରେ ମୋଦୀ ପୁରା ରିପୋର୍ଟ ନେବା ସହ ତିନି ସେନାରମୁଖ୍ୟଙ୍କୁ ବିକଳ୍ପ ଉପାୟ ସମ୍ପର୍କରେ ପ୍ରସ୍ତାବ ଦେବା ପାଇଁ କହିଥିଲେ।