ଶିବ ମନ୍ଦିରରେ ସାମାଜିକ ଦୂରତାକୁ ‘ଫୁ’

ଦେବଗଡ,ଏନ୍ଏନ୍ଏସ୍ : ଦେଶରେ କରୋନାର ସାଂଭାବ୍ୟ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଜନଗହଳିକୁ ରୋକିବା ପାଇଁ ସରକାରୀ ସ୍ତରରେ ବ୍ୟାପକ ସଚେତନ କରାଯାଉଛି। ଏହି ପରିପ୍ରେକ୍ଷିରେ ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ଧର୍ମାନୁଷ୍ଠାନ ଗୁଡିକରେ କେବଳ ଦୈନନ୍ଦିନର ରୀତି ନୀତି ପରେ ବନ୍ଦ ପାଇଁ ସରକାରୀ ନିୟମ ଜାରି କରାଯାଇଛି। ଏ ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର ସତ୍ୱେ ପ୍ରଶାସନିକ ନିର୍ଦ୍ଦେଶକୁ କେତେକ ସ୍ଥାନରେ ଅବମାନନା କରାଯାଉଥିବା ଦେଖାଯାଉଛି। ହେଲେ ଲୋକମାନେ ସାମାମଜି ଦୂରତାକୁ ମାନୁନଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଘଟଣା ଦେବଗଡ଼ ଜିଲ୍ଲା ରିଆମାଳ ସଦର ମହକୁମାରେ ଥିବା ଶିବମନ୍ଦିର ଠାରେ ଦେଖାଯାଉଛି ।

ପ୍ରତିକୂଳପାଗ ଓ କୋଭିଡ-୧୯ ନିୟମାବଳିକୁ ଦୃଷ୍ଟିରେ ରଖି ଚଳିତ-ବର୍ଷ ରଜପର୍ବ ପାଳନ ଫିକା ପଡିଥିବା ଯୋଗୁଁ ଆଜି ରଜ ସଂକ୍ରାନ୍ତି ଅବସରରେ ବହୁ ଜନସାଧାରଣ ସାମାଜିକ ଦୂରତାକୁ ଭୂଲି ଶିବମନ୍ଦିର ଠାରେ ଲମ୍ବାଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। କେତେକ ସଚେତନ ନାଗରିକ ମନ୍ଦିରକୁ ଆସିଥିବା ଜନସାଧାରଣଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରି ଅପ୍ରିୟ ହୋଇଥିବା ବେଳେ ରିଆମାଳ ଥାନା ପୁଲିସ ଏହି ଘଟଣାରେ ସଂପୂର୍ଣ୍ଣ ଆଖିବୁଜି ଦେଇଥିବା ବହୁ ଜନସାଧାରଣ ଅଭିଯୋଗ କରିଛନ୍ତି।

କରୋନା ସଂକ୍ରମଣ ରୋକିବା ନେଇ କୌଣସି ପର୍ବ ପର୍ବାଣୀର ବିଶେଷ ଦିବସରେ ଧର୍ମାନୁଷ୍ଠାନ ଗୁଡିକ ଉପରେ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଥିବା ବେଳେ ଥାନା ଠାରୁ ମାତ୍ର କିଛି ଦୂରରେ ଥିବା ଏହି ଶିବାଳୟରେ ହୋଇଥିବା ଜନଗହଳିକୁ ରିଆମାଳ ଥାନା ପୁଲିସର ଦୃଷ୍ଟି ଆଢୁଆଳରେ ରହିବା ରିଆମାଳ ଥାନା ପୁଲିସର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।