ଦେଓଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ ବହିପତ୍ର ପରିବହନ ନାଁରେ ଟଙ୍କା ଆଦାୟ

ଦେଓଗାଁ,ଏନ୍ଏନ୍ଏସ୍ : ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ୟ୍ୟକାରୀ କରିଛନ୍ତି। ହେଲେ କିଛି ଶିକ୍ଷକ ଏହି ଯୋଜନାକୁ ବାଟବଣା କରିବା ଯୋଗୁ ଗରିବ ଛାତ୍ରଛାତ୍ରୀମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ସୋସିଆଲ୍ ମିଡିଆରେ ପାଠ୍ୟ ପୁସ୍ତକ ପ୍ରଦାନ ବାବଦରେ ଅବିଭାବକଙ୍କଠାରୁ ଶିକ୍ଷକ ଟଙ୍କା ନେଉଥିବା ଭିଡିଓ ଘୁରି ବୁଲୁଥିବା ଦେଖାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଦେଓଗାଁ ପଞ୍ଚାୟତ ସମିତି ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଏଥିରେ ପାଠ୍ୟ ପୁସ୍ତକ ଆଣିବା ପାଇଁ ସ୍କୁଲକୁ ଯାଇଥିବା ଜଣେ ଛାତ୍ରୀଙ୍କ ପିତାଙ୍କଠାରୁ ପୁସ୍ତକ ଦେବା ଦାୟିତ୍ୱରେ ଥିବା ୨ଜଣ ଶିକ୍ଷକ ୩୦ ଟଙ୍କା ଦାବି କରିଥିଲେ। ସରକାର ମାଗଣାରେ ବହି ଯୋଗାଇ ଦେଉଥିବାବେଳେ କାହିଁକି ପଇସା ଦେବେ ବୋଲି ପଚାରିବାରୁ ବଲାଙ୍ଗିରରୁ ବହିଗୁଡ଼ିକୁ ଅଣାଯିବା ବାବଦରେ ଟଙ୍କା ଅସୁଲି କରାଯାଉଛି ବୋଲି ଶିକ୍ଷକ କହିଥିଲେ। ଏନେଇ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାହୁଙ୍କୁ ପଚାରିବାରୁ ସେ ଜାଣିନଥିବା ପ୍ରକାଶ କରିଛନ୍ତି। ସେହିପରି ପ୍ରଧାନଶିକ୍ଷୟତ୍ରୀଙ୍କୁ ପଚାରିବାରୁ ପୁସ୍ତକ ପରିବହନ ବାବଦରେ ୧୦ରୁ ୧୫ଟଙ୍କା ଆଦାୟ କରିବା ପାଇଁ କୁହାଯାଇଛି ବୋଲି କହିଛନ୍ତି। ପ୍ରଧାନଶିକ୍ଷୟତ୍ରୀଙ୍କ କହିବାନୁସାରେ ଯଦି ଅବିଭାବକମାନଙ୍କଠାରୁ ଟଙ୍କା ଆଦାୟ ହେଲା ତା’ହେଲେ ଏକ ରସିଦର ବ୍ୟବସ୍ଥା କରିବା ଉଚିତ ଥିଲା ବୋଲି ଅଭିଭାବକମାନେ ମତପ୍ରକାଶ କରିଛନ୍ତି।