କରୋନା ମୁକାବିଲା ପାଇଁ ୧୦୦ ଭେଣ୍ଟିଲେଟର, ଆଇସିୟୁ ଓ ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା ଯୋଗାଇବାକୁ ଦାବି

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ଦିନକୁଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବଳେ କଂଗ୍ରେସର ଏକ ପ୍ରତିନିଧୀ ଦଳ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଉକ୍ତ ସ୍ମାରକପତ୍ରରେ ହଜାରେ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିିଟାଲ, ୧୦୦ ଭେଣ୍ଟିଲେଟର ତଥା ଆଇସିୟୁ ଓ ୧୦ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ଯୁବ କଂଗ୍ରେସ ଏବଂ ଛାତ୍ର କଂଗ୍ରେସ ତରଫରୁ ଦାବି ହୋଇଛି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ସମ୍ମାନ ଉଦ୍ଦେଶ୍ୟରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଶବଦାହ, ଆଶା କର୍ମୀଙ୍କ ଦ୍ୱାରା ଆରଟି-ପିସିଆର ଟେଷ୍ଟ କରାଯିବାକୁ କୁହାଯାଇଛି। ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁଶାନ୍ତ ସାହୁ ଏବଂ ଛାତ୍ର କଂଗ୍ରେସର ସକ୍ରିୟ ସଦସ୍ୟ ଅଭିଷେକ ନାୟକଙ୍କ ନେତୃତ୍ୱରେ ଏହି ପ୍ରତିନିଧୀ ମଣ୍ଡଳୀରେ ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମର ଜିଲ୍ଲା ସଭାପତି ପିକୁନ ନାୟକ, ଗୌରବ ପତି, ଅଭିଲାଷ ପତି, ସୁବ୍ରତ ନାୟକ, ନିହାର ବେହେରା, ପପୁ କୁମ୍ଭାର, ଗୋବିନ୍ଦ ମେହେର ଓ ଆନନ୍ଦ ମେହେର ପ୍ରମୁଖ ଉପସ୍ଥିତ ଥିଲେ।