ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଉପଖଣ୍ଡରେ ଥିବା ଘସିଏନ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାମ କରୁଥିବା ଆଶା କର୍ମ୍ମୀ ଓ ଏଏନ୍ଏମ୍ ମାନଙ୍କ ମିଳୁଥିବା ପ୍ରୋତ୍ସାହନ ରାଶିକୁ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ସୁଜୟ ମେହେର ଓ ବିପିଏମ୍ ରାକେଶ ମିଶ୍ର ଜାଣିଶୁଣି ବନ୍ଦ କରିଦେଇଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି। ଆଜି କିଛି ଆଶା କର୍ମ୍ମୀମାନେ ଏକତ୍ରିତ ହୋଇ ଘସିଏନ୍ ସ୍ଥିତ ଗୋଷ୍ଠୀ କେନ୍ଦ୍ର ସମ୍ମୁଖରେ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ୭ ଦଫା ଦାବି ପ୍ରଦାନ କରିଥିଲେ।
ସେମାନଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ଦରମା ଦିଆଯାଉ, ସେମାନେ ପାଉଥିବା ପ୍ରୋତ୍ସାହନ ରାଶି ଦେବା ବାବଦକୁ ଜୋର ଜବରଦସ୍ତି ଟଙ୍କା ଆଦାୟ କରୁଥିବା ଘଟଣାକୁ ବନ୍ଦ କରାଯାଉ, କୋଭିଡ଼ ସମୟରେ କାର୍ଯ୍ୟ କରିଥିବା ବାକି ରହିଥିବା ଟଙ୍କା ପ୍ରଦାନ କରାଯାଉ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍ ଆଶା କାର୍ମ୍ମୀମାନଙ୍କୁ ମିଳିଥିବା ୧୦ ହଜାର ଟଙ୍କାରୁ କାର୍ଯ୍ୟରତ ଏଏନ୍ଏମ୍ ମାନେ ଜୋର ଜବରଦସ୍ତି ୪ରୁ ୫ ହଜାର ଟଙ୍କା ଅସୁଲ କରୁଥିବା ଟଙ୍କା ଫେରାସ୍ତ କରାଯାଉ। ଏହି ଗୋଷ୍ଠୀ କେନ୍ଦ୍ରରେ କିଛି ଏଏନ୍ଏମ୍ ଓ ବିପିଓଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ଆଶା କର୍ମ୍ମୀ ସଙ୍ଘର ସଭାନେତ୍ରୀ ଲଳିତା ବାଗ ଲବଣି ସରାଫ ଗୁଳାପୀ ମେହେର କିଶୋରୀ ବରିହା ସରୋଜିନୀ ରଣା ଆନନ୍ଦନୀ ବିଶ୍ୱାଳ ରୋହଣୀ ସାହୁ କୁନ୍ତୀ ସରାଫ ଲତା ନାଗ ଲଷ୍ମୀ ସାହୁ ବବିତାସାହୁ ନିରୂପମା ଧରୁଆ ଆଲ୍ଲା ଦିନି କୁମ୍ଭାର ଜସବାନ୍ତି ଶବର ଲଷ୍ମୀ ଭୁଏ ପ୍ରମୁଖ ଦାବି କରିଛନ୍ତି।
ଏଠାରେ ପ୍ରକାଶ ଯେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦାୟିତ୍ଵରେ କାର୍ଯ୍ୟ କରୁଥିବା ଡାକ୍ତର ସୁଜୟ ମେହେର ଆସୁନଥିବାରୁ ସରକାରୀ କାର୍ଯ୍ୟରେ କାମ ନ ହୋଇ ଠପ୍ ପଡିରହିଛି। ତାହାର ସୁଯୋଗନେଇ କିଛି କର୍ମଚାରୀ ଅସାଧୁ ଭାବରେ ଅର୍ଥ ଆଦାୟ ହେଉଥିବା ବିକ୍ଷୋଭକାରୀ ଆଶା ମା’ ମାନେ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳରେ ଦାବି କରାଯାଇଛି।