ସୋନିଆଙ୍କୁ ଭେଟିଲେ ସଚ୍ଚିନ

ନୂଆଦିଲ୍ଲୀ: କଂଗ୍ରେସ ନେତା ସଚ୍ଚିନ ପାଇଲଟ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ଏହି ବୈଠକରେ ରାଜସ୍ଥାନ ଓ ପାର୍ଟିରେ ନିଜ ଭୂମିକାକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି । ଆସନ୍ତା ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହି ସାକ୍ଷାତ ବେଶ୍ ଗୁରୁତ୍ୱପୂର୍ଣ୍ଣ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ପଦରୁ ହଟାଇ ସଚ୍ଚିନ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ଚର୍ଚ୍ଚା ମଧ୍ୟରେ ଏହି ସାକ୍ଷାତ ହୋଇଛି । ପୂର୍ବରୁ ସଚ୍ଚିନ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଥିଲେ । କିନ୍ତୁ ୨୦୨୦ରେ ପାର୍ଟି ସହ ବିଦ୍ରୋହାଚରଣ କରିବାରୁ ତାଙ୍କୁ ଉଭୟ ପଦ ହାତ ଛଡ଼ା କରିବାକୁ ପଡ଼ିଥିଲା ।

ସୂଚନାଯୋଗ୍ୟ, ଗତ ୨ ବର୍ଷ ହେବ ଅନେକ ପୁରୁଖା ନେତା ପାର୍ଟି ଛାଡ଼ିଛନ୍ତି । ଏଭଳି ସ୍ଥିତିରେ ରାହୁଲ ଗାନ୍ଧୀଙ୍କ ସବୁଠୁ ନିକଟତର ସହଯୋଗୀ କଥା ଆସିଲେ ଏବେ କେବଳ ସଚ୍ଚିନ ପାଇଲଟ ହିଁ ପାର୍ଟିରେ ରହିଛନ୍ତି । କାରଣ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜୀତିନ ପ୍ରସାଦ ଓ ଆରପିଏନ ସିଂହ ଭଳି ନେତା ବିଜେପିରେ ଯୋଗ ଦେଇଛନ୍ତି ।