ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଅବକାରୀ ବିଭାଗ ଓ ଅବକାରୀ ଭିଜିଲାନ୍ସ ବିଭାଗ ସମ୍ବଲପୁର ଗତକାଲି ମିଳିତ ଭାବେ ଚଢ଼ଉ କରି ଖପ୍ରାଖୋଲ ଓ ପାଟଣାଗଡ଼ ବିଦେଶୀ ମଦ ଦୋକାନରୁ ବିପୁଳ ପରିମାଣର ବିଦେଶୀ ନକଲି ମଦ ଜବତ କରିଥିଲା । ଉକ୍ତ ଘଟଣାରେ ୨ ବିଦେଶୀ ମଦ ଦୋକାନର ୨ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଛି । କିନ୍ତୁ ଉକ୍ତ ମାମଲାରେ ମୁଖ୍ୟ କାର୍ପଟଦାରକୁ ଛାଡ଼ି ଦେଇ ନିରୀହ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେତେ ଦୂର ଯୁକ୍ତିଯୁକ୍ତ । ସେଥିପାଇଁ ଆଜି କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ ଅବକାରୀ ଅଧିକ୍ଷକ ବଲାଙ୍ଗୀରଙ୍କ ଉଦ୍ଦେଶ୍ୟରେ ପାଟଣାଗଡ଼ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ଓ ଉପଆରକ୍ଷୀ ଅଧିକାରୀ ପାଟଣାଗଡ଼ଙ୍କୁ ଲିଖିତ ଭାବେ କୋଶଲ ମୁକ୍ତିମୋର୍ଚ୍ଚା ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଏହା ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଉପଅବକାରୀ ବିଭାଗ ପାଟଣାଗଡ଼ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଚେତାବନୀ ଦିଆଯାଇଛି ବୋଲି ମୁକ୍ତିମୋର୍ଚ୍ଚାର ଡିଙ୍ଗର କୁମ୍ଭାର ଗିରିଧାରୀ ଭୋଇ କହିଛନ୍ତି ।