ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରପରିଷଦ ପକ୍ଷରୁ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ସହ ୫ ଦଫା ଦାବିରେ ଆଜି ସକାଳୁ ପୌରପରିଷଦ ସମ୍ମୁଖରେ ପୌର ପରିଷଦର ୭ କାଉନସିଲର ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିଛନ୍ତି। ଆଜି ସକାଳୁ ସ୍ୱାଧୀନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତାଙ୍କ ନେତୃତ୍ୱରେ ଉପନଗରପାଳ ପ୍ରଜିତ କୁମାର ଭୋଜ, କାଉନସିଲର କାର୍ତ୍ତିକ ମହାକୁଳ, ମଧୁସୂଦନ ବାଗ, ପିଙ୍କି ସାହୁ, ଇତିଶ୍ରୀ ମିଶ୍ର ଓ ସରୋଜିନୀ ମୁଣ୍ଡା ପ୍ରମୁଖ ପୌର କାର୍ୟ୍ୟାଳୟ ସମ୍ମୁଖରେ ହାତରେ ପ୍ଲା କାର୍ଡ ଧରି ଅନଶନ ଓ ଧାରଣା ଆରମ୍ଭ କରିଛନ୍ତି।
ହୋଲ୍ଡିଂ ଟ୍ୟାକ୍ସକୁ ପୂର୍ବପରି ୨୦% ରିହାତି ସହ ଏହାର ସମୟ ସୀମାକୁ ଜୁନ ମାସ ପର୍ୟ୍ୟନ୍ତ ବୃଦ୍ଧି, ଦୈନିକ ପରିବା ବଜାର ନିଲାମକୁ ରଦ୍ଦ କରି ପାରିଷଦ ଅନୁମୋଦନ ପରେ ପୁନଃ ନିଲାମ କରାଯିବା, ପୌର ପରିଷଦ କଲ୍ୟାଣ ମଣ୍ଡପର ଦୈନିକ ଭଡା ୧୮ ହଜାର ପରିବର୍ତ୍ତେ ୧୦ ହଜାର କରାଯିବା, ପରିବା ବଜାର ଠାରେ ଶୌଚାଳୟ ନିର୍ମାଣ, ଅବସରପ୍ରାପ୍ତ ପୌର କର୍ମଚାରୀଙ୍କୁ ବକେୟା ଅର୍ଥ ଶୀଘ୍ର ପ୍ରଦାନ ଆଦି ଦାବି ପୂରଣ ନହେବା ଯାଏଁ ଏହି ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀ କାଉନସିଲର ମାନେ ପ୍ରକାଶ କରିଛନ୍ତି।