ଝାରସୁଗୁଡ଼ା ସହରରେ ସିଲ୍ ହୋଇଥିବା ମୁଖ୍ୟ ରାସ୍ତା ଖୋଲିବାକୁ ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ସହରର ଝଣ୍ଡାଛକରୁ ମନମୋହନ ସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ସିଲ କରାଯାଇଥିବା ମୁଖ୍ୟ ରାସ୍ତାକୁ ଖୋଲିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ସହରବାସୀ ଦାବି କରିଛନ୍ତି। ସହରବାସୀଙ୍କ ପକ୍ଷରୁ ଏକ ପ୍ରତିନିଧୀ ମଣ୍ଡଳୀ ଆଜି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ସାକ୍ଷାତ କରି କରୋନା ସଂକ୍ରମଣ ରୋକିବା ପାଇଁ ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତାକୁ ବହୁଦିନ ଧରି ସିଲ କରାଯାଇଥିବାରୁ ଲୋକଙ୍କ ଯାତାୟତରେ ସମସ୍ୟା ଦେଖାଦେଉଥିବା କହିଛନ୍ତି। ଏହି ଅଞ୍ଚଳରେ ସହରର ସମସ୍ତ ଦୋକାନ ବଜାର ରହିଥିବାବେଳେ ରାସ୍ତା ସିଲ ଯୋଗୁ କେହି ସେଠାକୁ ଯାଇ ପାରୁନାହାନ୍ତି। ଫଳରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରୁ ନାହାନ୍ତି ଓ ଗ୍ରାହକ ଆସି ପାରୁନଥିବାରୁ ଦୋକାନୀମାନେ ବହୁ କ୍ଷତି ସହୁଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ କରାଯାଇଥିବା ଏହି ରାସ୍ତା ସିଲ୍କୁ ପ୍ରତ୍ୟାହାର କରାଯାଉ ବୋଲି ଲୋକେ ଦାବି କରିଛନ୍ତି। ଏହି ଦାବିକୁ ଗ୍ରହଣ କରି ସ୍ଥିତି ଅନୁଧ୍ୟାନ ପରେ ରାସ୍ତା ଖୋଲିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପିଣ୍ଟୁ ପାଢ଼ୀ, ରଘୁ ପଟେଲ, ସନ୍ଦୀପ ଅବସ୍ତି, ଅଶୋକ ଦାସ, ହୀରାଲାଲ ଲୋକଚନ୍ଦାନୀ, ପବନ ସୁଲତାନିଆ ଓ ରବୀନ୍ଦ୍ର ଦିକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ।