ସାମ୍ବାଦିକଙ୍କ ଚିକିତ୍ସାରେ ସହାୟକ ହେଲା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା, ବୀମା ରାଶି ବୃଦ୍ଧି ଦାବି

ଦେବଗଡ଼,ଏନ୍ଏ‌ନ୍ଏ‌ସ୍‌: ଦିନେ ଅନ୍ୟର ଚିକିତ୍ସା ସୁବିଧା ପାଇଁ ଖବର ତିଆରି କରି ସହାୟତା ଯୋଗାଉଥିବା ଜଣେ ବରିଷ୍ଠ ସାମ୍ବାଦିକ ଆଜି ଶଯ୍ୟାଶାୟୀ। ତେବେ ତାଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା କାର୍ଡ ସହାୟକ ହୋଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉପକୃତ ସାମ୍ବାଦିକ। ମାତ୍ର ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ବ ସମୟ ଧରି ଶଯ୍ୟାଶାୟୀ ଥିବା ସାମ୍ବାଦିକଙ୍କ ଚିକିତ୍ସା ପାଇଁ ଅଧିକ ସମୟ ଓ ଅର୍ଥର ଆବଶ୍ୟକତା ଥିବା କାରଣରୁ ଚିନ୍ତିତ ହୋଇପଡିଛନ୍ତି ପରିବାର।

ସୂଚନା ଅନୁଯାୟୀ ଏକ ବୈଦ୍ୟୁତିକ ଗଣ ମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ସତ୍ୟ ନାରାୟଣ ମିଶ୍ର ଗତ ଜାନୁଆରୀ ୫ ତାରିଖ ଦିନ ହକି ବିଶ୍ୱକପର ଦେବଗଡ଼ ସହର ପରିକ୍ରମା କରୁଥିବା ଦୃଶ୍ୟ ଉତ୍ତୋଳନ କରୁଥିବା ବେଳେ ଏକ ଉଚ୍ଚା ସ୍ଥାନରୁ ଗୋଡ଼ ଖସି ଯିବାରୁ ତଳେ ପଡିଯାଇ ଗୁରୁତର ହୋଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ପରେ ଗୁରୁତର ଆଘାତ ଥିବା କାରଣରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ବାମ ଗୋଡ଼ର ଲିଗାମେଣ୍ଟ ଛିଣ୍ଡି ଯାଇଥିବା ଡାକ୍ତର ଜାଣିବାକୁ ପାଇଥିଲେ। ପରେ ଏଥିପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା ଥିବା ଡାକ୍ତର କହିବା ପରେ ଗତ ଫେବୃଆରୀ ୧୫ ତାରିଖ ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶ୍ରୀ ମିଶ୍ରଙ୍କ ଗୋଡ଼ରେ ଅସ୍ତ୍ରୋପଚାର କରାଯାଇଥିଲା। ଏହି ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା କାର୍ଡରୁ ୧ ଲକ୍ଷ ୭୦ ହଜାର ଟଙ୍କା ପୈଠ କରାଯାଇଥିବା ବେଳେ ଅଧିକ ଦିନ ସେଠାରେ ରହିବା ସମ୍ଭବ ନହେବାରୁ ଶ୍ରୀ ମିଶ୍ର ଦେବଗଡ଼ ସ୍ଥିତ ନିଜ ଘରକୁ ଚାଲିଆସି ଦେବଗଡ଼ରେ ନିଜ ଚିକିତ୍ସା ଜାରି ରଖିଛନ୍ତି।

ଅସ୍ତ୍ରୋପଚାର ପରେ ମଧ୍ୟ ଔଷଧ ବାବଦକୁ ପ୍ରତିଦିନ ବହୁ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ହୋଇ ପଡ଼ିଥିବା କାରଣରୁ ପରିବାରର ଆର୍ଥିକ ସ୍ଥିତି ସମ୍ପୂର୍ଣ ବିଗିଡି ଯାଇଛି। ଏଭଳି କ୍ଷେତ୍ରରେ ପୀଡିତ ସାମ୍ବାଦିକଙ୍କ ପରିବାରକୁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇଦେବାକୁ ବହୁ ସାମ୍ବାଦିକ ଅନୁରୋଧ କରିଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା କାର୍ଡରେ ପ୍ରଦତ୍ତ ସହାୟତା ରାଶି ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ଦାବି ହୋଇଛି।