ଅଇତାପଡ଼ାର ବିଦ୍ୟାଳୟକୁ ବନ୍ଦ ନକରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଖନ୍ତାମାଲ ପଞ୍ଚାୟତସ୍ଥିତ ଅଇତାପଡ଼ା ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନକରିବା ପାଇଁ ଗ୍ରାମବାସୀମାନେ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ୧୯୬୬ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରେ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଥିବାରୁ ଏହାକୁ ସରକାର ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି। ତେବେ ଆଦିବାସୀ ବହୁଳ ଅଇତାପଡ଼ା ଗ୍ରାମର ଚତୁଃପାଶ୍ୱର୍କୁ ବଣ ଜଙ୍ଗଲ ଓ ନଇ ନାଳ ଘେରି ରହିଛି। ଫଳରେ ପିଲାମାନେ ଏହି ବଣ ଜଙ୍ଗଲ ଦେଇ ପାଠ ପଢିବାକୁ ଗଲା ସମୟରେ ବିଭିନ୍ନ ଅଘଟଣ ଘଟିବାର ଆଶଙ୍କା ରହିଛି।

ଏହି ପରିସ୍ଥିତିରେ ଗ୍ରାମର ଶିଶୁମାନେ ଅନ୍ୟ ଗ୍ରାମକୁ ଯାଇ ଶିକ୍ଷା ଗ୍ରହଣ କରିବା ଯଥାର୍ଥ ନୁହେଁ। ବିଦ୍ୟାଳୟଟି ବନ୍ଦ ହେଲେ ଗ୍ରାମର ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯିବ। ତେବେ ଗ୍ରାମର ଅଭିଭାବକମାନେ ଆଗାମୀ ଦିନରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି କରାଇବା ପାଇଁ ତତ୍ପରତାର ସହ କାର୍ଯ୍ୟ କରିବେ। ତେଣୁ ଅଇତାପଡାସ୍ଥିତ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନ କରି ପୂର୍ବପରି କାର୍ଯ୍ୟକ୍ଷମ ରଖାଯାଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।

ପ୍ରକାଶ ଯୋଗ୍ୟ ଯେ, ୨୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି। ଏଥିରେ ଝାରସୁଗୁଡ଼ା ଜିଲ୍ଲାରେ ୧୦୪ଟି ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟଗୁଡିକ ମଧ୍ୟରେ ଝାରସୁଗୁଡ଼ା ବ୍ଲକରୁ ୧୪ଟି, ଝାରସୁଗୁଡ଼ା ପୌରପରିଷଦରୁ ୫ଟି, ବ୍ରଜରାଜନଗର ପୌରପରିଷଦରୁ ଗୋଟିଏ, କିର୍ମିରା ବ୍ଲକରୁ ୧୯ଟି, କୋଲାବିରା ବ୍ଲକରୁ ୧୦ଟି, ଲଇକେରା ବ୍ଲକରୁ ୨୧ଟି, ଲଖନପୁର ବ୍ଲକରୁ ୩୩ଟି ଓ ବେଲପାହାଡ଼ ପୌରପରିଷଦରୁ ଗୋଟିଏ ରହିଛି।