ଆଦିବାସୀଙ୍କ ଚାଷ ଜମିରେ ବେଆଇନ ବୃକ୍ଷରୋପଣ ଅଭିଯୋଗ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଇକେରା ବ୍ଲକ ଖୁନ୍ତାମାଲ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡେରବାହାଲ ଗ୍ରାମର ଆଦିବାସୀଙ୍କ ଜଙ୍ଗଲ ଜମିରେ ବେଆଇନ ଭାବରେ ବଳ ପୂର୍ବକ ଜଙ୍ଗଲ ବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଉଛି। ଆଜି ଏନେଇ ଗ୍ରାମବାସୀମାନେ ଲୋକମୁକ୍ତି ସଂଗଠନର ଉପଦେଷ୍ଟା ଅନନ୍ତଙ୍କ ନେତୃତ୍ୱରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଦାବିପତ୍ର ଅନୁସାରେ ବାପା ଅଜା ସମୟରୁ ଚାଷ କରି ଆସୁଥିବା ସେମାନଙ୍କ ଜଙ୍ଗଲ ଜମିରେ ବର୍ତ୍ତମାନ ଜଙ୍ଗଲ ବିଭାଗ ବୃକ୍ଷରୋପଣ କରୁଛି। ବିଗତ ଏକମାସ ଭିତରେ ଗ୍ରାମର ୧୫ ଜଣଙ୍କ ଜମିରେ ବଳ ପୂର୍ବକ ବୃକ୍ଷରୋପଣ କରାଯାଇଥିବାବେଳେ ଅନ୍ୟମାନଙ୍କ ଜଙ୍ଗଲ ଜମିରୁ ଫସଲ ଆଦାୟ ହେଲାପରେ ବୃକ୍ଷରୋପଣ କରାଯିବ ବୋଲି ଜଙ୍ଗଲ ବିଭାଗ ଚେତାବନୀ ଦେଇଛି। ହେଲେ ଜଙ୍ଗଲ ଅଧିକାର ଆଇନ ଧାରା ୪(୩) ଅନୁଯାୟୀ ଆଦିବାସୀ ଓ ଅନ୍ୟ ପାରମ୍ପାରିକ ବନବାସୀ ସମ୍ପ୍ରଦାୟ ୧୩ ଡିସେମ୍ବର ୨୦୦୫ ପୂର୍ବରୁ ଜଙ୍ଗଲ ଜମି ଭୋଗ ଦଖଲ କରୁଥିବେ ତାହେଲେ ସେହି ଜମିର ସ୍ୱୀକୃତି ତାଙ୍କୁ ଦିଆଯିବ। ସେହିପରି ଧାରା ୪(୫) ଅନୁଯାୟୀ ଜଙ୍ଗଲ ଅଧିକାର ସ୍ୱୀକୃତି ଓ ଯାଞ୍ଚ ପ୍ରକ୍ରିୟା ଶେଷ ନହେବା ଯାଏଁ ଆଦିବାସୀମାନଙ୍କୁ ଜଙ୍ଗଲ ଜମିରୁ ଉଚ୍ଛେଦ ବା ବିତାଡିତ କରାଯାଇ ପାରିବ ନାହିଁ।

ଜଙ୍ଗଲ ବିଭାଗ ପକ୍ଷରୁ ବେଆଇନ ଭାବରେ ଆଦିବାସୀମାନେ ଦୀର୍ଘ ଦିନରୁ ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିବା ଜଙ୍ଗଲ ଜମିରେ ବେଆଇନ ଭାବରେ ବୃକ୍ଷ ରୋପଣ କରାଯାଉଛି। ତେଣୁ ଏହି ଜମିରେ ବୃକ୍ଷ ରୋପଣ ବନ୍ଦ କରାଯାଇ ଆଦିବାସୀମାନଙ୍କୁ ସେମାନଙ୍କ ଜଙ୍ଗଲ ଜମି ହସ୍ତାନ୍ତର କରିବା ସହ ଜଙ୍ଗଲ ବିଭାଗର ଏହି ବେଆଇନ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।