ଭୁଜାଲି ମୁନରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ

ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡାଝୋଲା ଫାଣ୍ଡି ଅଧୀନସ୍ଥ ଦଧିବାମନ ଜୀଉ କଲେଜ ଛକ ନିକଟରେ ଗୋଟିଏ କଳା ଗ୍ଲାମାର ମୋଟର ସାଇକେଲରେ ୩ ଜଣ ଲୁଟେରା ଆସି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଛଡ଼ାଇ ନେଇଛନ୍ତି। ଏଥିସହ ଦୁର୍ବୃତ୍ତମାନେ କର୍ମଚାରୀଙ୍କ ଉପରକୁ ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ କର୍ମଚାରୀ ଜଣଙ୍କ ଭୟଭୀତ ହୋଇ ଟଙ୍କା ବ୍ୟାଗ ଟିକୁ ଲୁଟେରାଙ୍କୁ ଦେଇଥିଲେ। ସାଙ୍ଗେ ସାଙ୍ଗେ କର୍ମଚାରୀ ଜଣଙ୍କ ଭାଟସାହି ଗ୍ରାମର ନିଜ ବ୍ୟାଙ୍କରୁ ଋଣ ନେଇଥିବା କିଛି କଷ୍ଟମର ସହ ଫୋନରେ ଯୋଗାଯୋଗ କରିଥିଲେ ।

ଖବରପାଇ ଭାଟସାହି ଗ୍ରାମର କିଛି ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫାଇନାନ୍ସ କର୍ମଚାରୀଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ କହିଥିଲେ। ଘଟଣା ସମ୍ପର୍କରେ ଜାଣି ସାରିବା ପରେ ବନ୍ଦନ ଫାଇନାନ୍ସ ବ୍ୟାଙ୍କର ମ୍ୟାନେଜର ସହ ଯୋଗାଯୋଗ କରିଥିଲେ। ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।