ପୋଖରୀରେ ପଡ଼ି ହରିଣର ମୃତ୍ୟୁ

ଖଇରା,ଏନ୍ଏନ୍ଏସ୍: ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ସ୍ଥିତ ଚାନ୍ଦଗୋଛି ଗ୍ରାମରେ ପୋଖରୀରେ ପଡ଼ି ଏକ ହରିଣର ମୃତ୍ୟୁ ଘଟିଛି। କରୋନା ପାଇଁ ଏବେ ସାରା ଦେଶରେ ଲକଡାଉନ ରହିଛି। ଫଳରେ ସମସ୍ତ ରାସ୍ତା ଘାଟ ଜନଶୂନ୍ୟ ହୋଇପଡିଛି। ଏହି ସମୟରେ ଜଙ୍ଗଲରେ ରହୁଥିବା ଜୀବଜନ୍ତୁମାନେ ବିଭିନ୍ନ ସମୟରେ ଖାଦ୍ୟ ଅନ୍ୱେଷଣରେ ଗ୍ରାମାଞ୍ଚଳକୁ ପଳାଇ ଆସୁଥିବା ଦେଖିବାକୁ ମିଳୁଛି।

ସେହିଭଳି ଆଜି ସକାଳେ ଔପଦା, ନୀଳଗିରି କୁଲଡିହା ଅଭୟାରଣ୍ୟରୁ ଏକ ହରିଣ ଖାଦ୍ୟ ଅନେଶ୍ୱଣରେ ଚାନ୍ଦଗୋଛୀ ଗ୍ରାମକୁ ପଳାଇ ଆସିଥିଲା। ତେବେ ଗ୍ରାମରେ ଲୋକମାନଙ୍କୁ ଦେଖି ହରିଣଟି ଦୌଡିବାରେ ଲାଗିଥିଲା। ଦୌଡ଼ିବା ସମୟରେ ଉକ୍ତ ଗ୍ରାମରେ ଥିବା ଏକ ପୋଖରୀରେ ହରିଣଟି ପଡିଯାଇଥିଲା। ଏହା ଦେଖି ସ୍ଥାନୀୟ ଗ୍ରାମବାସୀମାନେ ହରିଣଟିକୁ ଉଦ୍ଧାର କରିବା ସହିତ ଔପଦା ରେଞ୍ଜରକୁ ଖବର ଦେଇଥିଲେ।

ଖବରପାଇ ଔପଦା ରେଞ୍ଜର ବବିତା ସରେନଙ୍କ ନିର୍ଦ୍ଦେଶରେ ଫରେଷ୍ଟର ସୋରମା ମଞ୍ଜରୀ ଦାସ ଓ ତାଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ସେତେବେଳକୁ ହରିଣଟିର ମୃତ୍ୟୁ ହୋଇସାରିଥିଲା। ସେଠାରୁ ହରିଣଟିକୁ ଖଇରା ପ୍ରାଣୀ ଚିକିତ୍ସାଳୟକୁ ନେଇ ବ୍ୟବଚ୍ଛେଦ କରିବା ସହିତ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ସେହିପରି ଫରେଷ୍ଟର ଶ୍ରୀମତୀ ଦାସଙ୍କ ସମେତ ଫରେଷ୍ଟ୍ର ଗାର୍ଡ ଭାରତୀ ସିଂ, କମଳାକାନ୍ତ ବାରିକ, ପର୍ଶୁରାମ ମହାନ୍ତି, ଅମରଜିତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।