ଖବର ପ୍ରକାଶ ପରେ ରାସ୍ତା ନିର୍ମାଣ କାରୀ ସଂସ୍ଥା ଆପଣେଇଲା ନୂତନ କୌଶଳ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ଦେଇଯାଇଥିବା ୪ଟି ଜାତୀୟ ରାଜପଥ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ମରଣ ଯନ୍ତା ପାଲଟିଛି ରାସ୍ତା। ଜିଲ୍ଲା ସଦରମହକୁମା ଦେଇ ଯାଇଥିବା ତିଲେଇବଣୀ – ବିଞ୍ଜବାହାଲ ୪୯ ନଂ ଜାତୀୟ ରାଜପଥ ପ୍ରଶସ୍ଥିକରଣ କାମ ନେଇଥିବା ଠିକା କମ୍ପାନୀ ଓ ଏନଏଚଏ ଆଇ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକା ଫଳରେ ରାସ୍ତା ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ଫଳରେ ଜନସାଧାରଣ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ମଙ୍ଗଳବାର ରାସ୍ତା ନିର୍ମାଣକାରୀ ସଂସ୍ଥା ଓରିଏଣ୍ଟାଲ କଂଷ୍ଟ୍ରକସନ  ବାଇପାସ ରାସ୍ତା ନିର୍ମାଣ କାମ ସମ୍ପୂର୍ଣ୍ଣ ହେବା ପୂର୍ବରୁ ତରବରିଆ ଭାବେ ଦେବଗଡ଼ ରାଜାମୁଣ୍ଡା ଠାରୁ ପୁରୁଣାଗଡ଼ ପର୍ଯ୍ୟନ୍ତ ସହର ବାହାରକୁ ଡାଇର୍ଭସନ କରି ଗାଡ଼ି ଛାଡିଥିବା ଦେଖିବାକୁ ମିଳିଛି। ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ନୀଳବେର୍ଣ୍ଣିସାହି ଦେଇଯାଇଥିବା ରାଞ୍ଚି -ବିଜୟାୱାଡା ରାସ୍ତା ଛକରେ ବାଇପାସ ରାସ୍ତା ଅର୍ଦ୍ଧନିର୍ମିତ ଭାବେ ପଡି ରହିଥିବାରୁ ଉକ୍ତ ସ୍ଥାନରେ ଦୁର୍ଘଟଣାର ଆଶଙ୍କା ସୃଷ୍ଟି ହୋଇଛି। ଏଣେ ଦେବଗଡ଼ ପୌରାଞ୍ଚଳର ରଜାମୁଣ୍ଡା, ନୂଆସାହି, ଗଣେଶ ଛକ, ପୁରୁଣା ପୋଷ୍ଟ ଅଫିସ ଛକ, ରାଧାକୃଷ୍ଣମନ୍ଦିର ଛକ, ଆଲ୍ଲାହାବାଦ ବ୍ୟାଙ୍କ ସମ୍ମୁଖ, ସ୍ୱତନ୍ତ୍ର ଉପକାରଗାର, ବିଏସଏନଏଲ କାର୍ଯ୍ୟାଳୟ, ଓଲଟବର ଛକ ଠାରୁ ଖୋଦ ଜିଲ୍ଲା ଆରକ୍ଷୀ ଅଧ୍ୟୀକ୍ଷକଙ୍କ ବାସଭବନ ସଂଲଗ୍ନ ଜାତୀୟ ରାଜପଥ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି ଜନସଧାରଣଙ୍କ ସମସ୍ୟାକୁ ଗୁରୁତ୍ୱଦେଇ ଜିଲ୍ଲାର ରାସ୍ତା ସମସ୍ୟା ସମାଧାନ ପ୍ରତି ଦୃଷ୍ଟି ଦେବାକୁ ବହୁ ଜନସଧାରଣ ଦାବି କରିଛନ୍ତି।