‘ନିତିଦିନ’ ପକ୍ଷରୁ ଘୋଷଯାତ୍ରାର ସିଧା ପ୍ରସାରଣ

ଭୁବନେଶ୍ୱର,ଏନ୍ଏନ୍ଏସ୍:  କରୋନା ମହାମାରୀ ପାଇଁ ସୁପ୍ରିମକୋର୍ଟ କଟକଣାଯୁକ୍ତ ରଥଯାତ୍ରାକୁ ଅନୁମତି ପ୍ରଦାନ କରିଥିବାରୁ ଭକ୍ତମାନେ ବଡ଼ଦାଣ୍ଡକୁ ଯାଇପାରି ନାହାନ୍ତି। ଭକ୍ତମାନେ ଘରେ ରହି କିଭଳି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ, ତେଣୁ ଏହି ରଥଯାତ୍ରାକୁ ବିଭିନ୍ନ ଟିଭି ଚ୍ୟାନେଲ ପକ୍ଷରୁ ସିଧାପ୍ରସାରଣ କରାଯାଇଥିଲା।

ଏଥିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା ‘ନିତିଦିନ’ ଡିଜିଟାଲ। ସକାଳ ୭ଟାରୁ ପ୍ରସାରଣ ଆରମ୍ଭ ହୋଇ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଚାଲିଥିଲା। ଏହି ଅବସରରେ ଧାରାବିବରଣୀ ପାଠ କରିଥିଲେ ଗୌର ଶ୍ୟାମାନନ୍ଦ ଦାସଜୀ, ବାବାଜୀ ଦିବାକର ଦାଶମହାପାତ୍ର, ଶ୍ରୀ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ମଠ, ପୁରୀ ସର୍ବଭାରତୀୟ ସାଧାରଣ ସମ୍ପାଦକ ମାତୃଦତ୍ତ ମିଶ୍ର, ଆଦିତ୍ୟବାହିନୀ ଗୋବର୍ଦ୍ଧନ ମଠ, ପୁରୀ ସଂଯୁକ୍ତ ସଚିବ ପ୍ରତାପ ଭାରତୀ। ଉଭୟ ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତି, ଚେତନା ଏବଂ ମନ୍ଦିର ପରମ୍ପରା ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ପହଣ୍ଡି ବିଜେଠାରୁ ଆରମ୍ଭ କରି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ତିନି ଦିଅଁଙ୍କ ଯାତ୍ରା ପର୍ଯ୍ୟନ୍ତ ସମସ୍ତ ମୁହୂର୍ତ୍ତକୁ ସେ ଦର୍ଶକଙ୍କୁ ପରଷିଥିଲେ।

ସେହିପରି ସମଗ୍ର ବିଶ୍ୱରେ ଜଗନ୍ନାଥ ଚେତନା କିପରି ଆଦୃତ ଲାଭ କରିଛି ଏବଂ ସମ୍ପୂର୍ଣ୍ଣ ମାନବଜାତିକୁ ମାନବତା ଏବଂ ବିଶ୍ୱ ଐକ୍ୟତାର ବାର୍ତ୍ତା ଦେଉଛି ସେ ନେଇ ବିଶେଷ ଭାବେ ‘ନିତିଦିନ’ ସମ୍ପାଦକ ମନୋଜ ମହାପାତ୍ର ଆଲୋକପାତ କରିଥିଲେ। ରଥ, ପଥ, ଜଗନ୍ନାଥ ବିଶେଷ କରି ରଥଯାତ୍ରାର ବହୁ ଅଜଣା ଏବଂ ଅକୁହା କଥାକୁ ଦର୍ଶକଙ୍କ ସାମ୍ନାରେ ବଖାଣିଥିଲେ ଅବସରପ୍ରାପ୍ତ ଅଧ୍ୟାପିକା ଡ. ସଂଯୁକ୍ତା ଷଡ଼ଙ୍ଗୀ।