ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟରେ ବାଲ୍ୟ ବିବାହପ୍ରବଣ ୧୬ଟି ଜିଲ୍ଲା ମଧ୍ୟରୁ ଦେବଗଡ଼ ଜିଲ୍ଲା ନବମ ସ୍ଥାନରେ ରହିଛି। ଦେବଗଡ଼ ଜିଲ୍ଲାରେ ବ୍ୟାପକ ପ୍ରଚାରପ୍ରସାର ଓ ଜନସଚେତନତା ସୃଷ୍ଟି ପରେ ଜନସାଧାରଣ ସଚେତନ ହୋଇ ବାଲ୍ୟ ବିବାହକୁ ବିରୋଧ କରୁଛନ୍ତି। ରିଆମାଳ ବ୍ଲକ ବୁଢପାଳ ପଞ୍ଚାୟତ ଠିଆନାଳ ଗ୍ରାମବାସୀ ବୈଠକ ଓ ଆଲୋଚନା କରି ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ନିଷେଧ ପାଇଁ ଆଲୋଚନା କରିଥିଲେ। କିଛିବର୍ଷ ମଧ୍ୟରେ ଉକ୍ତ ଗ୍ରାମରେ ଗୋଟିଏ ମଧ୍ୟ ବାଲ୍ୟ ବିବାହ ହୋଇ ନଥିବା ଦେଖିବାକୁ ମିଳିଥିଲା। ଫଳରେ ଗ୍ରାମବାସୀ ଠିଆନାଳ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରିବା ପାଇଁ ଜିଲ୍ଲାପାଳ ଓ ବିଧାୟକଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଧରମ ହାଂସଦାଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଓ ଆକ୍ସନଏଡର ଜିଲ୍ଲା ସଂଯୋଜକ କୁମୁଦଚନ୍ଦ୍ର ଶତପଥୀ ଉକ୍ତ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ଆଲୋଚନା କରିଥିଲେ।
ଏହି ଅବସରରେ ଗ୍ରାମ୍ୟସ୍ତରୀୟ ଏକ ବାଲ୍ୟବିବାହ ମଞ୍ଚ ଗଠନ କରା ଯାଇଥିଲା। ଏଥିରେ ସଭାପତି ଭାବେ ସାଧୁ ପ୍ରଧାନଙ୍କୁ ମନୋନୀତ କରାଯାଇଥିବାବେଳେ ସମ୍ପାଦକ ଭାବେ ଅଜୟ କୁମାର ପ୍ରଧାନ ଓ ସଦସ୍ୟ ଭାବେ ଅଙ୍ଗନୱାଡି କର୍ମୀ ଅମୃତା ସାହୁ, ୱାର୍ଡମେମ୍ବର କୁନି ସାହୁ, ଆଶାକର୍ମୀ ରୀନା ସାହୁ, ପ୍ରମୋଦ କୁମାର ସାହୁ ଓ ଜୟଚନ୍ଦ୍ର ସାହୁଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ସେହିପରି ଗ୍ରାମର କୋଠଘରକୁ ବାଲ୍ୟ ବିବାହ ନିଷେଧ ପରାମର୍ଶ କେନ୍ଦ୍ର କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ।