ନବଜୋତ ସିଂହ ସିଦ୍ଧୁଙ୍କ ବାସଭବନ ସମ୍ମୁଖରେ ଲାଗିଲା ନୋଟିସ

ଅମୃତସର,ଏଜେନ୍ସି: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ଘରେ ପୁଲିସ ନୋଟିସ ଲଗାଇଛି। ବିହାର ପୁଲିସ ଠାରୁ ଆସିଥିବା ଏକ ନୋଟିସକୁ ଦୀର୍ଘ ସପ୍ତାହ ହେଲା ଗ୍ରହଣ କରୁନଥିବାରୁ ଶେଷରେ ବିହାର ପୁଲିସ ତାଙ୍କ ଘର ବାହାରେ ନୋଟିସ ମାରିଛି। ରିପୋର୍ଟରୁ ପ୍ରକାଶ, ନବଜୋତ ସିଂହ ସିଦ୍ଧୁ ଗତ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର କାଳରେ କଂଗ୍ରେସ ପକ୍ଷରୁ ବିହାରରେ ଆୟୋଜିତ ହୋଇଥିବା ଏକ ନିର୍ବାଚନ ରାଲିରେ ଯୋଗ ଦେଇଥିଲେ। ଏହି ରାଲିରେ ସିଦ୍ଧୁ ବିହାରର ମୁସଲମାନ ସଂପ୍ରଦାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକଜୁଟ ହେବା ସହ ତାଙ୍କ ବିରୋଧରେ ଭୋଟ ଦେବାକୁ ଆହ୍ଵାନ ଦେଇଥିଲେ। ତେବେ, ସିଦ୍ଧୁଙ୍କ ଏ ପ୍ରକାରର ଆହ୍ଵାନ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିବା ଅଭିଯୋଗ କରାଯାଇ ତାଙ୍କ ବିରୋଧରେ ଏକ ମାମଲା ବିହାର କଟିହାର ଜିଲ୍ଲାର ବାରସୋଇ ଥାନାରେ ଆଗତ ହୋଇଥିଲା। କିନ୍ତୁ, ଏହି ମାମଲାର ନୋଟିସକୁ ଗ୍ରହଣ କରୁ ନଥିଲେ ସିଦ୍ଧୁ।

ସିଦ୍ଧୁଙ୍କୁ ଏହି ନୋଟିସ୍‌ ପ୍ରଦାନ କରିବା ପାଇଁ ବିହାର ପୁଲିସ୍‌ର ଏକ ଟିମ ପଞ୍ଜାବର ଅମୃତସର ଯାଇଥିଲା। ଗତ ଜୁନ ୧୭ ତାରିଖ ଠାରୁ ପଞ୍ଜାବ ସହରର ସିଦ୍ଧୁଙ୍କ ଭବନ ସମ୍ମୁଖରେ ନୋଟିସ ପ୍ରଦାନ କରିବାକୁ ଅପେକ୍ଷା କରି ରହିଥିଲେ ମଧ୍ୟ ସିଦ୍ଧୁ ସେମାନଙ୍କ ଠାରୁ ନୋଟିସକୁ ଗ୍ରହଣ କରିବା ପରିବର୍ତ୍ତେ ପୁଲିସକୁ ଚକମା ଦେଖାଇଥିଲେ। ଶେଷରେ ପୁଲିସ ଆଜି କଂଗ୍ରେସ ନେତା ସିଦ୍ଧୁଙ୍କ ବାସଭବନ ସମ୍ମୁଖରେ ନୋଟିସ ମାରିଛି।