ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପକାରାଗାରରେ ଏବେ କରୋନା ଆତଙ୍କ ଦେଖାଦେଇଛି। କାରାଗାରରେ ୧୧୭ଜଣ ବିଚରାଧୀନ କଏଦୀ ଥିବାବେଳେ ସେଥିମଧ୍ୟରୁ ୪୦ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଜଣେ ବିଚରାଧୀନ କଏଦୀ ବଲ୍ଲଭ ପ୍ରଧାନଙ୍କ ମୃତ୍ୟୁ ହେବା ପରେ କାରାଗାରରେ କୋକୁଆ ଭୟ ଖେଳିଯାଇଥିବା ଜଣାଯାଇଛି। ଗତ ୧୫ଦିନ ତଳେ ଧଣ୍ଡାମୁଣ୍ଡା ଗ୍ରାମର ବଲ୍ଲଭ ପ୍ରଧାନଙ୍କୁୁ ନିଶା କାରାବାର ଅଭିଯୋଗରେ ଖପ୍ରାଖୋଲ ପୁଲିସ ଗିରଫ କରିଥିଲେ। ଜେଲ ଯିବା ପୂର୍ବରୁ କରୋନା ଟେଷ୍ଟ କରିବା ପରେ ରିପୋର୍ଟ ନେଗେଟିଭ ଆସିଥିଲା। ପରେ ଉପକାରାଗାରରେ ବଲ୍ଲଭ କରୋନା ସଂକ୍ରମିତ ହୋଇଥିବା ଜଣାଯିବା ପରେ ବଲାଙ୍ଗିର ଭୀମଭୋଇ ମେଡିକାଲର କୋଭିଡ ଆଇସୋଲେସନ ୱାର୍ଡରେ ଜେଲ କର୍ତୃପକ୍ଷ ଭର୍ତ୍ତି କରିଥିଲେ। ତେବେ ଆଜି ବଲ୍ଲଭର ମୃତ୍ୟୁ ହୋଇଥିବା ଜଣାଯାଇଛି। ପରିବାର ଲୋକଙ୍କୁ ପୂର୍ବରୁ କୌଣସି ସୂଚନା ଦିଆଯାଇନଥିବାରୁ ଚିକିତ୍ସାରେ ଅବହେଳା ସହ ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି। ସେପଟେ ଆଜି ପାଟଣାଗଡ଼ ଜେଲର ଅନ୍ୟ ୨୦ଜଣ ବିଚରାଧୀନ କଏଦୀଙ୍କୁ କଣ୍ଟାବାଞ୍ଜି କାରାଗାରକୁ ସ୍ଥାନାନ୍ତର କରାଯିବ ବୋଲି ଜେଲ କର୍ତୃପକ୍ଷ ସୂଚନା ଦେଇଥିବାବେଳେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରି ଦେଇଥିଲେ।