ଇବ୍ ନଦୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ବୁଢ଼ିପଦରସ୍ଥିତ ଇବ୍ ନଦୀ ନିକଟରୁ ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ବିହାରର ପଙ୍କଜ କୁମାର(୩୧) ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଇବ୍ ନଦୀ ନିକଟସ୍ଥ ଏକ ବୁଦାମୂଳେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ, ଝାରସୁଗୁଡ଼ା ଏସଡ଼ିପିଓ ନିର୍ମଳ ଦାସ, ସଦର ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛନ୍ତି। ମୃତ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ତାଙ୍କୁ ବାହାରେ ହତ୍ୟା କରି ଏଠାରେ ଫିଙ୍ଗି ଦିଆଯାଇଛି ନା ଏହି ସ୍ଥାନରେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇ ନଥିବାବେଳେ ଅଭିଯୁକ୍ତଙ୍କୁ ପୁଲିସ ଶୀଘ୍ର ଧରିବାରେ ସକ୍ଷମ ହେବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି।

ପ୍ରକଶଯୋଗ୍ୟ, ମୃତ ଯୁବକ ଜଣକ ବ୍ରଜରାଜନଗର ଓରିଏଣ୍ଟ ଥାନା ଅନ୍ତର୍ଗତ କାଳୀନଗରରେ ଭଡ଼ାରେ ରହିବା ସହ ଏକ ଛୋଟିଆ ମଦ ଦୋକାନ କରିଥିଲେ। ଫଳରେ କେହି ତାଙ୍କ ସହ ଶତ୍ରୁତା କରି ଏହି ହତ୍ୟାକାଣ୍ଡ ଭିଆଇଥିବା ପୁଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି।