କୂଅରୁ ମିଳିଲା ମୃତଦେହ: ମୃତ୍ୟୁକୁ ନେଇ ୨ ପରିବାର ମଧ୍ୟରେ ଉତ୍ତେଜନା

କୋରାପୁଟ,ଏନ୍ଏନ୍ଏସ୍: ସେମିଲିଗୁଡ଼ା ଥାନା ପୀତାଗୁଡ଼ା ପଞ୍ଚାୟତର ଚୋରୀମାଳିପୁଟରେ ପଟ୍ଟାଙ୍ଗୀ ଥାନା ଷୋରିସପଦର ଗ୍ରାମର ଜୈନିକ ଯୁବତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ସେମିଲିଗୁଡ଼ା ପୁଲିସ ଗ୍ରାମରେ ଉପସ୍ଥିତ ରହି ସ୍ଥିତି ଉପରେ ଦୃଷ୍ଟି ରଖିଛି। ମିଳିଥିବା ରିପୋର୍ଟ ମୁତାବିକ, ଚୋରିମାଳିପୁଟ ଗ୍ରାମର ଉପେନ୍ଦ୍ର ନାୟକ ଓ ଷୋରିସପଦରର ବାସନ୍ତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ୨ ସପ୍ତାହ ପୂର୍ବରୁ ବାସନ୍ତିକୁ ନେଇ ଉପେନ୍ଦ୍ର ଫେରାର ହୋଇଥିବାବେଳେ କିଛିଦିନ ହେବ ଉଭୟେ ଚୋରିମାଳିପୁଟ ଗ୍ରାମକୁ ଫେରି ଉପେନ୍ଦ୍ରଙ୍କ ଘରେ ରହୁଥିଲେ। ତେବେ ବାସନ୍ତିକୁ ବୋହୁ କରିବାକୁ ଉପେନ୍ଦ୍ରଙ୍କ ବାପା ମା’ଙ୍କ ଇଚ୍ଛା ନଥିବାରୁ ସେମାନେ ବାସନ୍ତିକୁ ଘରେ ରଖିବାକୁ ଚାହୁଁ ନଥିଲେ। ସୋମବାର ଉପେନ୍ଦ୍ରର ପରିବାର ଲୋକ କେତେକ ଗ୍ରାମବାସୀଙ୍କ ସହ ବାସନ୍ତୀଙ୍କ ଘରକୁ ଯାଇ ଯାହା ଟଙ୍କ ଦରକାର ସେମାନେ ଦେବେ କିନ୍ତୁ ଝିଅକୁ ଘରକୁ ଫେରାଇ ନେବାକୁ ତାଙ୍କ ବାପା ମା’ଙ୍କୁ କହିଥିଲେ। ଏଭଳି କଥାକୁ ନେଇ ୨ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ହେଲେ କୌଣସ ସମାଧାନ ନହେବାରୁ ଉପେନ୍ଦ୍ରର ପରିବାର ଲୋକ ଗାଁକୁ ଫେରି ଆସିଥିଲେ। ଉପେନ୍ଦ୍ରର ପରିବାର ଲୋକଙ୍କ ଏଭଳି ମନୋଭାବ ଦେଖି ବାସନ୍ତୀ ମଙ୍ଗଳବାର ସକାଳେ ଘର ନିକଟରେ ଥିବା ଏକ କୂଅକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଉପେନ୍ଦ୍ର କିମ୍ବା ପରିବାର ଲୋକେ ବାସନ୍ତୀକୁ ସକାଳୁ ନପାଇ ଖୋଜାଖୋଜି କରିବା ବେଳକୁ ବାସନ୍ତୀର ମୃତଦେହ କୂଅରେ ଭାସୁଥିବା ଦେଖିବାକୁ ମିଳିଥିଲା। ଝିଅର ମୃତ୍ୟୁ ଖବର ପାଇ ବାସନ୍ତୀର ବାପା ମା’ ଓ ସମ୍ପର୍କୀୟ ଚୋରିମାଳିପୁଟରେ ପହଞ୍ଚି ବାସନ୍ତୀର ମୃତ୍ୟୁ ପାଇଁ ଉପେନ୍ଦ୍ରର ପରିବାର ଲୋକ ଦାୟୀ ବୋଲି ଅଭିଯୋଗ କରିଥିବାବେଳେ ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ଚୋରିମାଳିପୁଟରେ ନନ୍ଦପୁର, ସେମିଲିଗୁଡ଼ା ଓ ପଟ୍ଟାଙ୍ଗୀ ଥାନାଧିକାରୀ ଉପସ୍ଥିତ ରହିଛନ୍ତି।