ପୁତୁରା ଟାଙ୍ଗିଆ ଚୋଟରେ ଖୁଡିଙ୍କ ଶୋଚନୀୟ ମୃତ୍ୟୁ

ଦେବଗଡ଼/ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ତିମୁର ଗ୍ରାମରେ ଜଣେ ପୁତୁରାର ଟାଙ୍ଗିଆ ଚୋଟରେ ଖୁଡିର ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁସାରେ ତିମୁର ଗ୍ରାମର ଅର୍ଜୁନ ସ୍ୱାଇଁ ଓ ରଘୁ ସ୍ୱାଇଁଙ୍କ ଚାଷ ଜମିରେ ପାଣି ମଡାକୁ କେନ୍ଦ୍ର କରି ବିଭିନ୍ନ ସମୟରେ ପାଟି ତୁଣ୍ଡ ହୋଇଆସୁଥିଲା। ଏହି କ୍ରମରେ ଆଜି ଦିନ ପ୍ରାୟ ସାଢେ ୧୨ଟା ସମୟରେ ଜମିରେ ପାଣି ମଡାକୁ କେନ୍ଦ୍ର କରି ଅର୍ଜୁନ ସ୍ୱାଇଁଙ୍କ ସ୍ତ୍ରୀ ଗୁଆ ସ୍ୱାଇଁ(୬୦) ଓ ରଘୁ ସ୍ୱାଇଁଙ୍କ ପୁଅ ଲିଙ୍ଗରାଜ ସ୍ୱାଇଁ(୩୫)ଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ସେ ଉତକ୍ଷୀପ୍ତ ହୋଇ ଲିଙ୍ଗରାଜ ଏକ ଟାଙ୍ଗିଆ ସାହାଯ୍ୟରେ ଗୁଆଙ୍କୁ ଚୋଟ ପକାଇଥିଲା।

ଗୁଆଙ୍କ ବେକ ଓ ମୁହଁରେ ଗଭୀର କ୍ଷତ ହେବା ସହ ଘଟଣାସ୍ଥଳରେ ଗୁଆଙ୍କ ମୃତ୍ୟୁ ହୋଇଥିଲା। ଗୁଆଙ୍କ ମୃତ୍ୟୁ ଜାଣିବା ପରେ ଲିଙ୍ଗରାଜ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ସହ ରିଆମାଳ ଥାନାକୁ ଯାଇ ଆତ୍ମସମର୍ପଣ କରିଛନ୍ତି। ଅଭିଯୁକ୍ତ ଠାରୁ ସୂଚନା ପାଇ ରିଆମାଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ହତ୍ୟା ମାମଲା ଋୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ହତ୍ୟାକାଣ୍ଡ ପରେ ରକ୍ତମୁଖା ଅଭିଯୁକ୍ତ ଗ୍ରାମବାସୀଙ୍କୁ ଭୟଭୀତ କରିଥିବା ବେଳେ ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି।